

ବାଲି ମାଫିଆ ପାଇଁ ଦଣ୍ଡ ଭୋଗୁଛନ୍ତି ଚାଷୀ କୂଳ…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ଓ ବଡ଼ ନଦୀରୁ ବାଲି ମାଫିଆ ମାନେ ରୀତିମତ ଚୋରାରେ ବାଲି ଲୁଟୁଛନ୍ତି। ଗତ ଦୁଇ ମାସ ହେଲା ଆସିକା ଅଞ୍ଚଳରେ ଥିବା ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ଧରାକୋଟ ଅଞ୍ଚଳର ବାଲି ମାଫିଆ ମାନଙ୍କ ଲଟେରୀ ଫୁଟିଲା ଭଳି ଚୋରା ବାଲି ବ୍ୟବସାୟ ଦଶ ଗୁଣା ବଢ଼ିଯାଇଛି। ଆସିକା ରେ ବାଲି ଉତ୍ତୋଳନ ବନ୍ଦ ହେବା ଯୋଗୁଁ ଧରାକୋଟ ଅଞ୍ଚଳରୁ ଋଷିକୂଲ୍ୟା ନଦୀର ନଦୀ ବନ୍ଧକୁ ବିଭିନ୍ନ ସ୍ଥାନରୁ କାଟି ବେଧଡ଼କ ବାଲି ଚାଲାଣ ହେଉଛି। ଯାହାର ନଗ୍ନ ନମୁନା ଚଳିତ ମାସ ୩ ତାରିଖ ଦିନ ଦେଖିବାକୁ ମିଳିଥିଲା। ଧରାକୋଟ ବ୍ଲକ ର କୁଶପଡା ଠାରେ ଋଷି କୂଲ୍ୟା ନଦୀର ନଦୀ ବନ୍ଧ କୁ ବାଲି ମାଫିଆ ମାନେ କାଟି ବାଲି ନେଉଥିଲେ। ଯାହା ଫଳରେ ଗତ ଲଗାଣ ବର୍ଷା ସାଙ୍ଗକୁ ଲଘୁଚାପ ଯୋଗୁଁ ଭଙ୍ଗା ଯାଇଥିବା ଉକ୍ତ ନଦୀ ବନ୍ଧ ରାସ୍ତା ଦେଇ ଋଷି କୂଲ୍ୟା ର ବନ୍ୟା ଜଳ ସହ ସହ ଏକର ଚାଷ ଜମିରେ ମାଡିଯିବା ଫଳରେ ଚାଷ ଜମି ସବୁ ବାଲିଚର ହୋଇଥିଲା। ବାଲି ମାଡିଯିବା ଯୋଗୁଁ ସହ ସହ ଏକର ଚାଷ ନଷ୍ଟ ହୋଇଥିଲା। ଧରାକୋଟ ପୋଲିସ ଓ ତହସିଲଦାର କୁଶପଡା ଗ୍ରାମକୁ ପରିଦର୍ଶନ ପାଇଁ ଯାଇଥିବା ବେଳେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେବା ସହ ପ୍ରଶାସନକୁ ଗ୍ରାମ ବାସୀ ଅଟକ ରଖିଥିଲେ। ଗଞ୍ଜାମ ଜିଲ୍ଲାପାଳ କୁଶପଡା ଗାଁ କୁଆସି କ୍ଷୟକ୍ଷତି ଆକଳନ କରିବା ସହ ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବାର ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ତହସିଲଦାରଙ୍କୁ ଯେଉଁ ଯେଉଁ ବାଲି ମାଫିଆ ମାନେ ଋଷି କୂଲ୍ୟା ନଦୀର ବନ୍ଧ ବା ସୁରକ୍ଷା ରାସ୍ତାକୁ ଭାଙ୍ଗିଛନ୍ତି, ସେମାନଙ୍କ ନାଁ ରେ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଆଜି ସୁଦ୍ଧା କ୍ଷତିଗ୍ରସ୍ତଚାଷୀଙ୍କୁ କ୍ଷତି ପୂରଣ ମିଳିନାହିଁ। ପ୍ରକାଶ ଥାଉକି ଆସିକା ଅଞ୍ଚଳ ରେ ବାଲି ଉତ୍ତୋଳନ ବନ୍ଦ ହେବା ଫଳରେ ଧରାକୋଟ ଅଞ୍ଚଳ ରୁ ଶେରଗଡ଼,ଦିଗପହଣ୍ଡି, ବ୍ରହ୍ମପୁର, ହିଞ୍ଜିଳି ଓ ଚିକିଟି ଦେଇ ଆନ୍ଧ୍ରା ପ୍ରଦେଶକୁ ଚୋରା ବାଲି ଚାଲାଣ ହେଉଛି। ଖଣି, ରାଜସ୍ୱ, ପୋଲିସ ବିଭାଗ ସହ ବାଲି ମାଫିଆ ମାନଙ୍କ ଲେଖା ଛିଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ଆଖି ନାହିଁ-କାନନାହିଁ- ବାଜିଲେ ଦୋଷ ନାହିଁ ନିତୀ ଅଵଲମ୍ବନ କରୁଛନ୍ତି,ବାବୁ ମାନେ।