
ଉମରକୋଟ : ଉମରକୋଟ ବ୍ଲକର ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଘଟଣାରେ ଏକ ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ନବରଙ୍ଗପୁର ଜିଲ୍ଲାରେ ଆଶାକର୍ମୀ ସଂଘ ପକ୍ଷରୁ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଆଶାକର୍ମୀ ଅଂଶଗ୍ରହଣ କରିଥିଲେ। ଗତ ଅଗଷ୍ଟ ୩୦, ୨୦୨୫ ରେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସାଗରିକା ସ୍ୱାଇଁଙ୍କ ଅବହେଳା ଯୋଗୁଁ ଆଶାକର୍ମୀ ଦମୟନ୍ତି ଭତରାଙ୍କର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହେବା ବାଟରେ ତାଙ୍କ ଗର୍ଭସ୍ଥ ଶିଶୁ ସହିତ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେପ୍ଟେମ୍ବର ୧ ତାରିଖରେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର ଛକରେ ମୃତଦେହ ରଖି ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ତହସିଲଦାର ସେପ୍ଟେମ୍ବର ୮ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
ମାତ୍ର, ପ୍ରତିଶ୍ରୁତି ଅନୁଯାୟୀ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେପ୍ଟେମ୍ବର ୩ ତାରିଖରେ ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁନଶ୍ଚ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରାଯିବା ସହ ଅକ୍ଟୋବର ୫ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ମୌଖିକ ଭାବେ ଚେତାବନୀ ଦିଆଯାଇଥିଲା। ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡାକ୍ତର ସାଗରିକା ସ୍ୱାଇଁଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ନବରଙ୍ଗପୁର ପୋଲିସ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ପ୍ରକାର ନାରାବାଜି କରିବା ସହ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରିଥିଲେ : ଡାକ୍ତର ସାଗରିକା ସ୍ୱାଇଁଙ୍କୁ ତୁରନ୍ତ ନିଲମ୍ବନ ଓ ଗିରଫ କରାଯାଉ, ନବରଙ୍ଗପୁର ଜିଲ୍ଲାର ଆଶାକର୍ମୀମାନଙ୍କ ପ୍ରତି ଡାକ୍ତରଖାନାରେ ହେଉଥିବା ଦୁର୍ବ୍ୟବହାର ବନ୍ଦ କରାଯାଉ, ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯାଉ, ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ପ୍ରତି ମାସର ୧ ତାରିଖରୁ ୧୦ ତାରିଖ ମଧ୍ୟରେ ପ୍ରଦାନ କରାଯାଉ, ଆଶାକର୍ମୀମାନଙ୍କୁ ଲେବର ରୁମକୁ ଯିବାକୁ ଅନୁମତି ଦିଆଯାଉ, ଯାହା ଫର୍ମ ଫିଲପରେ ସୁବିଧା ହେବ, ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରାଯାଉ। ଯେ ପର୍ଯ୍ୟନ୍ତ ଏହା କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ମାସିକ ୨୪ ହଜାର ଟଙ୍କା ବେତନ ଦିଆଯାଉ। ଏଥିସହିତ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁରେ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ ଓ ଅବସରକାଳୀନ ସହାୟତା ବାବଦକୁ ୫ ଲକ୍ଷ ଟଙ୍କା ଓ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ।
ଆଶା କର୍ମୀ ସଂଘ ଚେତାବନୀ ଦେଇଛି ଯେ ଅକ୍ଟୋବର ୧୪, ୨୦୨୫ ରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ଏବଂ ଯେପର୍ଯ୍ୟନ୍ତ ଦାବିଗୁଡ଼ିକର ସମାଧାନ ନହୋଇଛି, ଆନ୍ଦୋଳନ ଜାରି ରହିବ। ଏଥିରେ ପ୍ରଶାସନ ବା ସରକାର ସମସ୍ତ ପରିସ୍ଥିତି ପାଇଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଅଙ୍ଗନବାଡ଼ି ସଂଘ ଉପଦେଷ୍ଟା ସବିତା ନାୟକ, ଆଶା କର୍ମୀ ସଂଘର କେନ୍ଦ୍ରୀୟ ସଭାନେତ୍ରୀ ଜିନିମା ଖୁରା, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ କମଳା ବେହେରା, ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ ଓ ସମ୍ପାଦିକା ଗୀତାଞ୍ଜଳି ହରିଜନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ଛଅ ଶହରୁ ଅଧିକ ଆଶାକର୍ମୀ ଯୋଗ ଦେଇଥିଲେ। ଏହି ଘଟଣାରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।