
ବ୍ରହ୍ମପୁର : ସ୍ବାଧୀନତା ସଂଗ୍ରାମୀ ଏବଂ ଚାଷୀ ମୁଲିଆ, ଶ୍ରମିକ ନେତା କବିରାଜ ରଘୁନାଥ ପଣ୍ଡାଙ୍କ ୧୮ ତମ ତିରୋଧାନ ଦିବସରେ ଆଜି ସ୍ଥାନୀୟ ଗିରିରୋଡ ସ୍ଥିତ ପାଢ଼ୀ ସେଲିବ୍ରେଶନ ସଭା କକ୍ଷରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟା ଆଜିର ଏହି ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜମ ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ଯୋଗଦାନ କରି ସ୍ବର୍ଗତ ରଘୁନାଥ ପଣ୍ଡାଙ୍କ ସ୍ମୃତି ଚାରଣ କରି ବର୍ତ୍ତମାନର ରାଜନୈତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ l ସ୍ବର୍ଗତ ପଣ୍ଡା ବ୍ରିଟିଶ ବିରୁଦ୍ଧରେ ଲଢେ଼ଇ କରିବା ସହ ନିଜ ଦେଶରେ ଚାଲିଥିବା ଜମିଦାରୀ ଓ ମୁସ୍ତାଦାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ଵ ନେଇଥିଲେ, ସ୍ଵାଧୀନ ଭାରତରେ ଗଞ୍ଜାମ ଜିଲାର ତାକରଡ଼ା ଠାରେ ହୋଇଥିବା ଐତିହାସିକ କୃଷକ ଆନ୍ଦୋଳନରେ ମଧ୍ଯ ସେ ଅନ୍ୟତମ ନେତା ଥିଲେ l ତତ୍କାଳୀନ ଆସିକା ବିଧାୟକ ହରିହର ଦାସ ଙ୍କ ସମୟରେ ସ୍ୱର୍ଗତ ପଣ୍ଡା ଗୁଣ୍ଠପଡ଼ା ଠାରେ ହାଇସ୍କୁଲ ପ୍ରତିଷ୍ଠା କରିଥଲେ l ତାଙ୍କ ନେତୃତ୍ଵରେ କମ୍ୟୁନିଷ୍ଟ ପାର୍ଟିର ଲଗାତାର ଆନ୍ଦୋଳନ ଫଳରେ ଗୁଣ୍ଠପଡ଼ା, ସୁମନ୍ତପଲ୍ଲୀ, ମଙ୍ଗଳପୁର, କଦମ୍ବଘାଇ ଓ କୁଣିଆ ଠାରେ କେନାଳ ନିର୍ମାଣ ହୋଇ ଲୋକଙ୍କ ପାଣି ଅଭାବ କଷ୍ଟ ଦୂର ହୋଇପାରିଲା l
ବଡନଦୀ ପଟ୍ଟଘାଇ ଯୋଗୁଁ ବାରମ୍ବାର ନଦୀ ବଡି ଓ ବନ୍ୟାରୁ ଲୋକ ରକ୍ଷା ପାଇପାରିଲେ l ଏତଦ୍ ସହ ଗୁଣ୍ଠପଡ଼ା ପଞ୍ଚାୟତର ସରପଞ୍ଚ ଥିବା ବେଳେ ସମସ୍ତ ଗାଁ କୁ ରାସ୍ତା, ପୋଖରି ଖନନ ଓ ଗାଁ ଯୁବକଙ୍କୁ ଓ ମା ମାନଙ୍କୁ ସ୍ବାବଲମ୍ବୀ କରିବା ଭଳି ବହୁ ସାମାଜିକ କାମ ସେ କରିଯାଇଛନ୍ତି l କବିରାଜ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ନିଶୁଳ୍କ ସେବା କରିବା ତାଙ୍କର ଦୈନନ୍ଦିନ କାମ ଥିଲା l ସାମଗ୍ରିକ ଭାବେ ସେ ଜଣେ ସାମ୍ୟବାଦୀ ଆନ୍ଦୋଳନର ବାର୍ତ୍ତାବହ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଜିର ସଭାରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ର ଗୋପାଳ କୃଷ୍ଣ ପାଣିଗ୍ରାହୀ,ଶିକ୍ଷାବିତ୍ ଦେବୀ ପ୍ରସାଦ ସାହୁ, ସେବା ନିବୃତ ଶିକ୍ଷକ ସଂଘର ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା, ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ଉପସଭାପତି ସିମାଞ୍ଚଳ ପ୍ରସାଦ ବିଷୋୟୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଓଡ଼ିଶା ମନରେଗା ଶ୍ରମିକ ସଂଘର ଜିଲ୍ଲା ସଭାନେତ୍ରୀ ପି.ପାର୍ବତୀ,କବି ପ୍ରଫୁଲ୍ଲ କୁମାର ମହପାତ୍ର, ଦେବରାଜ ଦାଶ, ଶିକ୍ଷକ ନେତା ପୀତବାସ ମହାପାତ୍ର,ଇଁ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବାସୁଦେବ ରଥ, ଆଦିତ୍ୟ ରଥ, ବଂଶୀଧର ସେଠୀ, ବରିଷ୍ଠ ଆଇନଜୀବି ଅରୁଣ ପଣ୍ଡା, ବିଦେଶୀ ନାହାକ, ସିମାଞ୍ଚଳ ପ୍ରଧାନ ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥଲେ l ଏହି ଅବସରରେ ବାସନ୍ତୀ ପାଢ଼ୀ,କୁନି ପାଢ଼ୀ ଏବଂ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l ସୁରେନ୍ଦ୍ର ମହାପାତ୍ର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ସୁରେନ୍ଦ୍ର ନାଥ ପଣ୍ଡା ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଜଣାଇଥିଲେ l