
ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଅନ୍ତର୍ଗତ କୋଦଭାଟା ସାହିରେ ଥିବା ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଏ ବର୍ଷ ମା ଶ୍ୟାମା କାଳୀ ପୂଜା ଧର୍ମିୟ ଉତ୍ସାହ ଓ ହର୍ଷଉଲ୍ଲାସର ମଝିରେ ମହା ଧୁମଧାମରେ ଅନୁଷ୍ଠିତ ହୋଇଛି। ବିଗତ କାଲି ରାତିରେ ମାଙ୍କ ପୂଜା ଶାସ୍ତ୍ରୋକ୍ତ ଭାବରେ ସମାପ୍ତ ହୋଇ ଯାଇଛି।ମନ୍ଦିର ପ୍ରାଙ୍ଗଣ ଆଲୋକ ସଜ୍ୟାରେ ରଙ୍ଗିନ ଆଲୋକର ଝଲସାହଟରେ ଜଗମଗାଉଥିଲା। ଶତାଧିକ ଭକ୍ତ ଭକ୍ତିଭାବରେ ମା ଶ୍ୟାମାଙ୍କ ଆରାଧନା କରି, ନିଜ ପରିବାର ଓ ସନ୍ତାନମାନଙ୍କ ଶୁଭ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଥିଲେ। “ଜୟ ମା ଶ୍ୟାମା କାଳୀ” ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ମାତିଉଠିଥିଲା ଭକ୍ତି ଓ ଉତ୍ସାହର ଧାରାରେ। କୋଦଭାଟା ସାହିର ମାତ୍ରୀ ସଂଘ ଓ ଆଖପାଖର ଗ୍ରାମବାସୀମାନେ ଏହି ପୂଜାକୁ ଅନୁଷ୍ଠାନିକ ଭାବରେ ସୁସଂଘଟିତ କରିଥିଲେ। ପ୍ରତି ଘରେ ଘରେ ଦୀପ ଜ୍ୱାଳାର ଉଜ୍ଜ୍ୱଳତା ଏବଂ ଆଲୋକର ପର୍ବ ଦୀପାବଳିର ମହାନନ୍ଦ ପରିବେଶକୁ ଆଲୋକିତ କରିଦେଇଥିଲା। ଗାଁର ଶିଶୁମାନେ ଆତସବାଜି ଓ ଦୀପପର୍ଯ୍ୟଳନରେ ଆନନ୍ଦ କରୁଥିଲେ।ଏ ବର୍ଷ ମା ଶ୍ୟାମା କାଳୀ ପୂଜାକୁ ଅଧିକ ସଜିବାନ୍ତ ଓ ସଂସ୍କୃତିମୟ କରିବା ପାଇଁ ପାଞ୍ଚ ଦିନ ବ୍ୟାପି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସଂଗୀତ, ନୃତ୍ୟ, ନାଟକ, କୀର୍ତନ ଓ ଧାର୍ମିକ ପ୍ରସଙ୍ଗ ମାଧ୍ୟମରେ ଭକ୍ତ ଓ ଗ୍ରାମବାସୀମାନେ ଆନନ୍ଦ ନେଉଛନ୍ତି। ଅସ୍ଥାୟୀ କାଳୀ ପୂଜା କମିଟି ପକ୍ଷରୁ ସଭାପତି ସ୍ୱପନ ସରକାର ଓ

ସମ୍ପାଦକ ଅଶୋକ ଶିକାରୀ, ସହ ସଦସ୍ୟ କୃଷ୍ଣ, ନିତାଇ, ରାକେଶ, ପୁଲୋକେଶ, ରବେନ, ନିତାଇ ପାଳ ମିଳି ଅନୁଷ୍ଠାନକୁ ସଫଳ କରିବା ପାଇଁ ସମନ୍ୱୟ କାମ କରୁଛନ୍ତି। ସ୍ଥାୟୀ କମିଟିର ସଭାପତି ଅଞ୍ଜନ କାନ୍ତି ବାଲା ଓ ସମ୍ପାଦକ ତପନ କୁମାର ଗାଇନ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ, ଶାନ୍ତି ଓ ଶୃଙ୍ଖଳା ରକ୍ଷା କରି ସମସ୍ତେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗୁଡିକର ଆନନ୍ଦ ନେଉନ୍ତୁ ଓ ମାଙ୍କ ଆଶୀର୍ବାଦ ଲାଭ କରନ୍ତୁ। ସମଗ୍ର କୋଦଭାଟା ସାହି ଏହି ପୂଜାକୁ ନେଇ ଏକ ଉତ୍ସବୀୟ ମହୋଲରେ ମଗ୍ନ ହୋଇ ଅଛି। ଆଲୋକ, ଭକ୍ତି, ଓ ଆନନ୍ଦର ସଂଯୋଗରେ ଦୀପାବଳି ଏବଂ ମା ଶ୍ୟାମା କାଳୀ ପୂଜା ଏ ବର୍ଷ ସ୍ମରଣୀୟ ହୋଇ ରହିବ।