
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ୨୦୨୨-୨୩ ମସିହାରେ ୨୮ ଟି ନୂତନ ସମବାୟ ସମିତି ଗଠନ କରାଯାଇଥିଲା । ଏହି ସମବାୟ ସମିତି ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା ।ଏହି ପାକ୍ସ ଗୁଡ଼ିକର ପରିଚାଳନା କମିଟି ଗଠନ କରିବା ପାଇଁ ସରକାର ଚିଠି କରିଥିଲେ ।ମାତ୍ର ଏହି ଘୋଷଣାକୁ ୨ ବର୍ଷ ବିତିଥିଲେ ମଧ୍ୟ ଏହି ନୂତନ ସମବାୟ ସମିତି ଗୁଡ଼ିକ କାର୍ଯ୍ୟକ୍ଷମ ନହେବା ସମବାୟ ବିଭାଗର ପାରିବା ପଣିଆକୁ ପଦାରେ ପଡିଯାଇଛି ।ନୟାଗଡ଼ ଜିଲ୍ଲାରେ ୧୫୭ ଟି ସମବାୟ ସମିତି ବା ପାକ୍ସ କାର୍ଯ୍ୟ କରୁଥିଲା ମାତ୍ର ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ସମବାୟ ସମିତି ନିର୍ମାଣ କରିବାକୁ ନିୟମ କରିଥିବା ବେଳେ ନୟାଗଡ଼ ଜିଲ୍ଲାରେ ୨୮ ଟି ନୂତନ ସମବାୟ ସମିତି ଗଠନ ହୋଇଥିଲା ।
ଏହି ନୂତନ ୨୮ ଟି ସମବାୟ ସମିତି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ୧୫ ଟି ଏବଂ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ୧୩ଟି ସମବାୟ ସମିତି ଗଠନ ହୋଇଥିଲା ।ନୟାଗଡ଼ ଜିଲ୍ଲାର କେବଳ ରଣପୁର ବ୍ଲକରେ ୧୬ଟି ସମବାୟ ସମିତି ଗଠନ ହୋଇଥିବା ବେଳେ ଅନ୍ୟ ୭ ଟି ବ୍ଲକରେ ମାତ୍ର ୧୨ ଟି ସମବାୟ ସମିତି ଗଠନ ହୋଇଛି ।ନୂତନ ସମବାୟ ସମିତି ମଧ୍ୟରେ ଦଶପଲ୍ଲା ନଛିପୁର ଆଞ୍ଚଳିକ ପାକ୍ସ ଲିଃ, କୁଆଁରିଆ ପାକ୍ସ ଲିଃ, ଗଣିଆ ବ୍ଲକର କିଶୋର ପ୍ରସାଦ ପାକ୍ସ ଲିଃ, ଖଣ୍ଡପଡ଼ା ରେ ରାଣୀପଡ଼ା ପାକ୍ସ ଲିଃ, ନୟାଗଡ଼ରେ ଲକ୍ଷ୍ମୀ ପ୍ରସାଦ ପାକ୍ସ ଲିଃ, ଜହ୍ନିପଦା ପାକ୍ସ ଲିଃ, ମୁଥ ଗାଡିଆ ପାକ୍ସ ଲିଃ, ନବଘନ ପୁର ପାକ୍ସ ଲିଃ, ନୂଆଗାଁ ସିକ୍ରିଡା ପାକ୍ସଲିଃ, ପାରାଢିପି ପାକ୍ସଲିଃ, ଓଡ଼ଗାଁ ବ୍ଲକର ହରିଡା ବନ୍ଧ ପାକ୍ସ ଲିଃ, ରୋହିବାଙ୍କ ପାକ୍ସ ଲିଃ, ରଣପୁର ଖତିଆ ପାକ୍ସ ଲିଃ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ରହିଛି ।ସେହିପରି ନୟାଗଡ଼ ଏଆରସିଏସ ଅଧିନରେ ରଣପୁର ବ୍ଲକ କନ୍ଧପଦା ପାକ୍ସ ଲିଃ, ଚମ୍ପାଗଡ ପାକ୍ସ ଲିଃ, କନ୍ଧ ନୟାଗଡ଼ ପାକ୍ସ ଲିଃ, ବାଉଁଶ ଗଡ ପାକ୍ସ ଲିଃ, ବଜ୍ରକୋଟ ପାକ୍ସ ଲିଃ, ରାଇପଡ଼ା ପାକ୍ସ ଲିଃ, ମହତ ପଲ୍ଲୀ ଝାଡ଼ପଡ଼ା ନୀଳକଣ୍ଠେଶ୍ଵର ଦେବ ପାକ୍ସ ଲିଃ, ଜଂକିଆ ପାକ୍ସ ଲିଃ, ଚଂପାପେଡି ପାକ୍ସ ଲିଃ, ନରେନ୍ଦ୍ରପୁର ପାକ୍ସ ଲିଃ,କସନ୍ଦା ପାକ୍ସ ଲିଃ, ବୃନ୍ଦାବନ ପୁର ମହାବୀର ପାକ୍ସ ଲିଃ, ତାଳବଣୀ ପାକ୍ସ ଲିଃ, କୁଲାସର୍ ପାକ୍ସ ଲିଃ ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ରହିଛି ।ଏହି ପାକ୍ସ ଗୁଡିକରେ ଆର୍ଥିକ କାରବାର ସହିତ ଧାନମଣ୍ଡି ଖୋଲିବା ପାଇଁ ଦୁଇ ବର୍ଷ ପୂର୍ବରୁ ତତ୍କାଳୀନ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତମାନ କୌଣସି ପାକ୍ସ କାର୍ଯ୍ୟକ୍ଷମ ହୋଇପାରିନାହିଁ। ସମବାୟ ବିଭାଗ ନିଷ୍କ୍ରିୟ ।