
ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ କମିଟିର ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ଵରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି l ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ l ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗ ଦେବାର ସମ୍ଭାବନା ଥିବା ଜଣାପଡିଛି l ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ ରାଜ୍ୟପାଳ ଲଗାତାର ଭାବେ ମୁଖ୍ୟ ଅତିଥି ହୋଇ ଆସୁଥିବାରୁ ଚଳିତ ବର୍ଷ ତାଙ୍କ ଗାରିମାମୟ ଉପସ୍ଥିତି ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି l
ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ l ପ୍ରବଳ ଗହଳି ଏବଂ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନରୁ ଅଧିକ ଫୋର୍ସ ରଣପୁର ଥାନା ଏବଂ ରାଜସୁନାଖଳା ଫାଣ୍ଡି ତତ୍ୱାବଧାନରେ ନିୟୋଜିତ ରହିବ l ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଡିସେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଵ୍ୟାପୀ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ l ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ କରାଯିବ l ରାଜସୁନାଖଳା ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି l ଆଞ୍ଚଳିକ,ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ମାନେ ରାଜସୁନାଖଳା ମଞ୍ଚରେ କଳା ପ୍ରଦର୍ଶନ କରିବେ l ଚଳିତ ବର୍ଷ ନେପାଳ ଦେଶ ତଥା ପୂର୍ବ ଭାରତର ପ୍ରସିଦ୍ଧ ଲୋକନୃତ୍ୟ ମାରୁଣୀ ଡ୍ୟାନ୍ସ ରାଜସୁନାଖଳା ମହୋତ୍ସବରେ ନୃତ୍ୟ ପରିବେଷଣ ହେବ l ପଡ଼ୋଶୀ ଦେଶର ଏହି ଲୋକନୃତ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ l ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ସରିଛି l କୃତିତ୍ୱଧାରୀଙ୍କୁ ରାଜସୁନାଖଳା ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା l
ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି l ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେବ l ପ୍ରତ୍ୟେକ ଦିନ ସିନେ ଷ୍ଟାର ମାନେ ଯୋଗଦେବେ l ୧୧ ତାରିଖରେ ସୁଜ୍ଞାନୀ ଏବଂ ତାଙ୍କ ମେଲୋଡି଼ ଟିମ ୧୨ ତାରିଖ ରୁକୁସୁନା ଏବଂ ମେଲୋଡି ଟିମ ଦର୍ଶକଙ୍କ ଆକର୍ଷଣ ରହିଛି l ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ଧର୍ମେନ୍ଦ୍ର ସାହୁ , ବିଶ୍ୱନାଥ ବରାଡ଼,ନିରଞ୍ଜନ ପ୍ରଧାନ,ସନ୍ତୋଷ କୁମାର ପୃଷ୍ଟି, ସୁଶାନ୍ତ କୁମାର ନାୟକ, ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକମାନେ ଉପସ୍ଥିତ ଥିଲେ l