ସ୍କୁଲରେ କବାଡି ଖେଳୁଥିବା ବେଳେ ଛାତ୍ର ମୃତ

newyr25

ଯୋଡ଼ା: ମୋ ନାତିକୁ ଫେରାଇ ଦିଅ । କୁଆଡ଼େ ଗଲୁରେ ମୋ ଘରର କୂଳ ନନ୍ଦନ । ବୁଢ଼ୀ ମା’ଟା କାନ୍ଦି କାନ୍ଦି ବାହୁନି ହେଉଛି । ସେପଟେ ମା’ ବି କାନ୍ଦି କାନ୍ଦି ଧୈର୍ଯ୍ୟହରା । କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛି ମା’ । ମୋ ପୁଅ ମୋ ପୁଅ କହି କୋହ ସମ୍ଭାଳି ପାରୁନି । କଣ ଦୋଷ ଥିଲା ମୋ ପୁଅର । କାହିଁକି ତା ଜୀବନ ନେଇଗଲ ପ୍ରଭୁ । ଏମିତି କହି କହି ତଳେ ଗଡ଼ି ଯାଉଛନ୍ତି ଏ ମହିଳା । ଆଖିର ଲୁହ ବୋଲ ମାନୁନି । ପୁ୍ଅର ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା ପୁଅ । କିନ୍ତୁ ସ୍କୁଲରେ ଖେଳୁ ଖେଳୁ ପୁଅର ଜୀବନ ଚାଲିଗଲା ।
ସ୍କୁଲରେ କବାଡି ଖେଳୁଥିବା ବେଳେ ଆହତ ହୋଇଥିଲା ଅଷ୍ଟମ ଶ୍ରେଣୀ ଛାତ୍ର । କିନ୍ତୁ ଚିକିତ୍ସା ଚାଲିଥିବାବେଳେ ହିଁ ମୃତ୍ୟୁକୁ ଆପଣେଇ ନେଲା ପୁଅ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଏକ ଆଦର୍ଶ ଆବାସିକ ବିଦ୍ୟାଳୟର ଘଟିଛି ଏଭଳି ଘଟଣା । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଅମିତ୍ ମୁଣ୍ଡା ଗତ ଜାନୁଆରୀ ୬ ତାରିଖରେ କବାଡି ଖେଳୁଥିବା ବେଳେ ଆହତ ହୋଇଥିଲେ । ତେବେ ଆହତ ହେବାର କିଛି ସମୟ ପର୍ଯ୍ୟନ୍ତ ଠିକ୍ ଠାକ୍ ଥିଲେ ଅମିତ୍ । କିନ୍ତୁ ବୁଧବାର ଅର୍ଥାତ ଜାନୁଆରୀ ୭ ତାରିଖ ସକାଳ ସମୟରେ ଅମିତଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଲା । ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ସେଠାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପୁଅ ସହ ଏମିତି ହୋଇଥିବା ଖବର ବିଷୟରେ ଅମିତଙ୍କ ମା’ ବାସନ୍ତୀ ମୁଣ୍ଡାଙ୍କୁ ବିଳମ୍ବରେ ସୂଚନା ଦିଆଯାଇଥିଲା ।
ବାରିଆ ଥାନା କେନ୍ଦୁଆ ଗାଁର ସ୍ବର୍ଗତ ଶୁକଦେବ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । କିନ୍ତୁ ହଠାତ ଖେଳୁ ଖେଳୁ ତାଙ୍କ ସହ ଏମିତି ଅଘଟଣ ଘଟିଥିଲା । ଖବର ପାଇ ଅମିତଙ୍କ ମା’ ଡାକ୍ତରଖାନାରେ ପହଞ୍ଚି ଥିଲେ ମାତ୍ର ସେତେବେଳକୁ ପୁଅ ଦେହରେ ଜୀବନ ନଥିଲା । ଅମିତର ମୃତ୍ୟୁ ପରେ ମୃତଦେହ ଘରକୁ ପଠାଯାଇଥିଲେ ବି ଘଟଣାର ତଦନ୍ତ ଦାବି ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଘର ଲୋକେ ମୃତଦେହ ଗ୍ରହଣ କରିନଥିଲେ । ଖବର ପାଇ ଚମ୍ପୁଆ ଉପଜିଲ୍ଲାପାଳ, ଝୁମ୍ପୁରା ଚମ୍ପୁଆ ତହସିଲ ଦାର, ଚମ୍ପୁଆ ଏସଡିପିଓ ରାତିରେ ଅମିତଙ୍କ ଘରେ ପହଞ୍ଚି ବୁଝାଶୁଝା କରି ମୃତଦେହ ହସ୍ତାନ୍ତର କରିଥିଲେ । ଅନ୍ୟପଟେ ସ୍କୁଲ ପକ୍ଷରୁ କ୍ଷତିପୂରଣ ଦିଆଯାଇଥିବା କଥା କହିଛନ୍ତି ସ୍କୁଲ ଅଧ୍ୟକ୍ଷ ।
ଘଟଣାକୁ ନେଇ ବାରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ସ୍ବାମୀ ପରପାରିକୁ ଗଲା ପରେ ଦୁଇ ପୁଅଙ୍କ ମୁହଁକୁ ଚାହିଁ ବାସନ୍ତୀ ଚଳି ଯାଉଥିଲେ । କିନ୍ତୁ ସ୍ବାମୀ ମୃତ୍ୟୁକୁ କେଇଟା ବର୍ଷ ନପୁରୁଣୁ ପୁଅ ବି ସବୁଦିନ ପାଇଁ ବିଦାୟ ଦେଇଦେଲା । ଏବେ ଅସହାୟ ହୋଇପଡ଼ିଛନ୍ତି ବାସନ୍ତୀ ।

Leave A Reply

Your email address will not be published.