
ନୟାଗଡ଼, ୧୮/୦୧(ନିସର୍ତ୍ତ) : ନୟାଗଡ଼ ଜିଲ୍ଲାରେ ରଣପୁର ଅଞ୍ଚଳର ପ୍ରସିଦ୍ଧ ଆସ୍ଥା କେନ୍ଦ୍ର ମା ହାବୁଡ଼ାସିଂହୀଙ୍କ ପବିତ୍ର ପୀଠ ଗତ କିଛି ଦିନ ଧରି ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ଏଠାରେ ଆୟୋଜିତ ୨୯ତମ ଚଣ୍ଡୀ ମହାଯଜ୍ଞ ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ ସହ ଭକ୍ତିମୟ ଭାବେ ସମ୍ପନ୍ନ ହୋଇଛି।
ଗତ ୧୪ ତାରିଖରେ ଅଙ୍କୁରୋପଣ କାର୍ଯ୍ୟ ସହ ମହାଯଜ୍ଞାର ଶୁଭାରମ୍ଭ ହୋଇଥିଲା। ୧୫ ତାରିଖରେ ଶଙ୍ଖ, ଘଣ୍ଟ ଓ ହରିବୋଲ ଧ୍ୱନି ମଧ୍ୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ସମଗ୍ର ଅଞ୍ଚଳ ଭକ୍ତିରେ ଉଦ୍ଦୀପିତ ହୋଇଉଠିଥିଲା। ୧୬ ଓ ୧୭ ତାରିଖରେ ବେଦମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କାର୍ଯ୍ୟ ଅବିରତ ଚାଲିଥିଲା।

୧୮ ତାରିଖ ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ କାର୍ଯ୍ୟ ସମ୍ପନ୍ନ ହେବା ସହିତ ମହାଯଜ୍ଞର ଉଦ୍ଦେଶ୍ୟ ସାର୍ଥକ ହୋଇଥିଲା। ଏହି ପବିତ୍ର ଅବସରରେ ଶହ ଶହ ଭକ୍ତ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ପରେ ଭକ୍ତମାନଙ୍କ ପାଇଁ ବ୍ୟାପକ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।
ମହାଯଜ୍ଞକୁ ସଫଳ କରିବା ପାଇଁ ଯଜ୍ଞ କମିଟି, ସେବାୟତ, ପୂଜକବୃନ୍ଦ ଓ ସ୍ଥାନୀୟ ଭକ୍ତମାନେ ଅକ୍ଷୟ ପରିଶ୍ରମ କରିଥିଲେ। ସମଗ୍ର ପରିବେଶ ଭକ୍ତି, ଶାନ୍ତି ଓ ଆଧ୍ୟାତ୍ମିକ ଶକ୍ତିରେ ମନୋହର ହୋଇଉଠିଥିଲା।