ନରସିଂହପୁର କ୍ଲଷ୍ଟରରେ ସଫଳ ଅଭିଭାବକ–ଶିକ୍ଷକ–ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ : ଶିକ୍ଷା ଉନ୍ନତି ଉପରେ ଗୁରୁତ୍ୱ

newyr25

ନୟାଗଡ଼, ୧୯/୦୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଗତ ଶନିବାର ଦିନ ଅଭିଭାବକ, ଶିକ୍ଷକ–ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିର ସଂଯୁକ୍ତ ବୈଠକ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି।

ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ସମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଥିଵାଏହି ବୈଠକରେ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ (CRCC) ସୁଶୀଲ କୁମାର ରଣା ଯୋଗ ଦେଇ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାସମ୍ବନ୍ଧୀୟ ବିଷୟ ଉପରେ ସବିସ୍ତାର ଆଲୋଚନା କରିଥିଲେ।

ବୈଠକରେ ସମାପ୍ତି ସୂଚକ ଆକଳନ (SLAS) ର ଫଳାଫଳ ବିଶ୍ଳେଷଣ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଚାଲୁ ହୋଇଥିବା ନୂତନ ପରୀକ୍ଷା ପଦ୍ଧତି, ‘ପଢ଼ିବା ଗଢ଼ିବା ଓଡ଼ିଶା’ କାର୍ଯ୍ୟକ୍ରମ, ଶିକ୍ଷଣ ସୋପାନ ରେଜିଷ୍ଟରର ଉପଯୋଗ, ଡିଜିଟାଲ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ସେହିପରି ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସରକାରୀ ସୁବିଧା, ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ସଚେତନତା, ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ସହାୟତା ଭଳି ବିଷୟ ଉପରେ ମଧ୍ୟ ଗଭୀର ଆଲୋଚନା ହୋଇଥିଲା।

ବୈଠକରେ ଅଭିଭାବକମାନେ ସକ୍ରିୟ ଭାବେ ଭାଗ ନେଇ ଶିଶୁମାନଙ୍କର ନିୟମିତ ଉପସ୍ଥିତି, ପଢ଼ାଶୁଣାରେ ଘରୋଇ ସହଯୋଗ ଓ ଶିକ୍ଷକମାନଙ୍କ ସହ ସମନ୍ୱୟ ରଖିବାକୁ ସହମତି ପ୍ରକାଶ କରିଥିଲେ।

ଏପରି ସଂଯୁକ୍ତ ବୈଠକ ମାଧ୍ୟମରେ ବିଦ୍ୟାଳୟ–ଅଭିଭାବକ–ସମାଜ ମଧ୍ୟରେ ସମନ୍ୱୟ ଦୃଢ଼ ହେବା ସହିତ ଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଏକ ମଜବୁତ ପଦକ୍ଷେପ ହୋଇଥିବା ଉପସ୍ଥିତମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.