ଘର ଖାଲି ଥିବାର ସୁଯୋଗ ନେଇ କଳାକାନା ବୁଲାଇଲେ ଚୋର: ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

newyr25

(ଉମରକୋଟରୁ ରସିକ ସରକାରଙ୍କ ରିପୋର୍ଟ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭାରଷଣ୍ଡି ଡିଏନକେ (DNK) ଗ୍ରାମରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରୁ ନଗଦ ଟଙ୍କା ସହ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ, ଭାରଷଣ୍ଡି ଗ୍ରାମର ନୀତିଶ ମିତ୍ର (ପିତା- ସ୍ୱର୍ଗୀୟ ନାରାୟଣ ମିତ୍ର) ନିଜ ସମ୍ପର୍କୀୟଙ୍କ ଏକ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଯୋଗ ଦେବା ପାଇଁ ପରିବାର ସହ ଘରେ ତାଲା ପକାଇ ଉମରକୋଟ ଯାଇଥିଲେ। ଯିବା ସମୟରେ ସେ ପଡ଼ୋଶୀଙ୍କୁ ଘର ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ। ତେବେ ଆଜି ସକାଳେ ପଡ଼ୋଶୀ ଘରର ଜଣେ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଘରର ମୁଖ୍ୟ ଗେଟ୍ ଓ ଭିତର ଦ୍ୱାର ଖୋଲା ଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେ ପରିବାର ଲୋକଙ୍କୁ ଡାକ ପକାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଏହାପରେ ସେ ନିଜ ପୁଅଙ୍କ ଜରିଆରେ ଘର ମାଲିକ ନୀତିଶଙ୍କୁ ଖବର ଦେଇଥିଲେ।

ଖବର ପାଇ ନୀତିଶ ମିତ୍ର ସପରିବାର ଘରକୁ ଫେରିବା ପରେ ଚୋରିର ଭୟାବହତା ଜଣାପଡ଼ିଥିଲା। ଘରର ଆଲମିରା ଭଙ୍ଗା ଯାଇ ସମସ୍ତ ସାମଗ୍ରୀ ଲଣ୍ଡଭଣ୍ଡ ହୋଇ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚୋରମାନେ ଆଲମିରାରୁ ୩ ହଳ କାନଫୁଲ, ୧ଟି ମୁଦି, ୮ଟି ନାକଫୁଲ, ୨୮ ଗ୍ରାମର ଗୋଟିଏ ସୁନା ବ୍ରେସଲେଟ୍, ୨ଟି ରୂପା ଚେନ୍ ଏବଂ ନଗଦ ପ୍ରାୟ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଏ ନେଇ ରାଇଘର ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ଏଏସଆଇ (ASI) ସଂଗ୍ରାମ ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ଧରି ରାଇଘର ସଦର ମହକୁମାର ବିଭିନ୍ନ ଅଞ୍ଚଳରେ ଚୋରି ଘଟଣା ବଢ଼ିବାରେ ଲାଗିଛି। ସହରରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି ହେବା ପରେ ଏବେ ଚୋରମାନେ ଗ୍ରାମାଞ୍ଚଳକୁ ନିଜର ଟାର୍ଗେଟ୍ କରୁଥିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

Leave A Reply

Your email address will not be published.