
ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାୟବଗା ଥାନା ଅନ୍ତର୍ଗତ ଜୟଡେଗା ପଞ୍ଚାୟତର ଝାଡ଼ବେଡ଼ା କାଠ ପୋଲ ନିକଟରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ପାଣିରେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ରାୟବଗା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ଦିବ୍ୟ କୁମାର ଓରାମ ଏବଂ ଏଏସଆଇ (ASI) ସୁରେଶ ଚନ୍ଦ୍ର ସାମଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଅଗ୍ନିଶମ ବିଭାଗକୁ ଡକାଇ ସେମାନଙ୍କ ସହାୟତାରେ ଡଙ୍ଗା ଯୋଗେ ପାଣିରୁ ମୃତଦେହକୁ ଉଦ୍ଧାର କରିଥିଲା।
ମୃତ ବୃଦ୍ଧଙ୍କ ବୟସ ଆନୁମାନିକ ୫୫ ରୁ ୬୦ ବର୍ଷ ହେବ ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ଚିହ୍ନଟ ପାଇଁ ରାୟବଗା ପୋଲିସ ଏହାକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ସଂରକ୍ଷିତ ରଖିବା ପାଇଁ ପଠାଇଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।