
କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ୍ୱ ଭକ୍ତ ସାମିଲ
ନୟାଗଡ଼, ୨୫/୦୧(ନିସର୍ତ୍ତ) : ପ୍ରାଚୀନ ପ୍ଲାବିତ ସଂସ୍କୃତିର ପୁନଃରୁଦ୍ଧାର ଓ ସତ୍ୟଧର୍ମ-ନୀତି ସଂସ୍ଥାପନର ମହାନ ଉଦ୍ଦେଶ୍ୟ ନେଇ ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚଳିତ ମାଘ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ପଞ୍ଚାଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ ହୋଇଛି, ଯାହା ନବମୀ ପର୍ଯ୍ୟନ୍ତ ଚାଲିବ।
କାର୍ଯ୍ୟସୂଚୀ ଅନୁଯାୟୀ ଜାନୁଆରୀ ୨୩ ତାରିଖ ଦିନ ଅଙ୍କୁରରୋପଣ ସହିତ ଯଜ୍ଞର ପ୍ରାରମ୍ଭ ହୋଇଥିଲା। ୨୫ ତାରିଖ ଦିନ ଦେବଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ସଂକୀର୍ତ୍ତନ, ଠାକୁରାଣୀ ସ୍ନାନ ଓ ଶୟନ ଅନୁଷ୍ଠିତ ହୋଇଛି। ଆଗାମୀ ୨୬ ତାରିଖ ଦିନ ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବାବେଳେ ୨୭ ତାରିଖ ଦିନ ସୂର୍ଯ୍ୟପୂଜା ସହ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ରବିବାର ଦିନ ଅନୁଷ୍ଠିତ କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ୍ୱ ଭକ୍ତ ଭାଗ ନେଇ ନଦୀରୁ ପବିତ୍ର ଜଳ ଆଣି ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଭକ୍ତିମୟ ପରିବେଶରେ କଳସ ଯାତ୍ରା କରିଥିଲେ। ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ପ୍ରତ୍ୟେକ ଦିନ ମନୋରଞ୍ଜନମୂଳକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ରହିଥିବା ବୋଲି ମା’ ଅସୁରକୁମାରୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଦୂରଦୂରାନ୍ତରୁ ଭକ୍ତମାନଙ୍କୁ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମରେ ସାମିଲ ହୋଇ ମା’ ଅସୁରକୁମାରୀଙ୍କ କୃପା ଲାଭ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।