
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକର ଜଣେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତରିତ କରାଯାଇଥିଲା ।ସେଠାରେ ଗୋଟିଏ ବାଇକରେ ଯାଉଥିବା ବାପପୁଅଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ଅନ୍ୟ ବାଇକର ଗୁରୁତର ଜଣକୁ ପରୀକ୍ଷା ନିରୀକ୍ଷା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।ମୃତକ ମାନେ ସ୍ଥାନୀୟ ମଶାବାରୀ ଗାଁର ବାପା ଛଇଲ ବିଶୋଇ(୭୦) ଏବଂ ପୁଅ ଲକ୍ଷ୍ମୀଧର ବିଶୋଇ(୪୫)। ଅନ୍ୟ ଗୁରୁତର ଜଣକ ଓଡ଼ଗାଁ ଏନଏସି ଅନ୍ତର୍ଗତ ଖଜୁରିଆ ଗ୍ରାମର ମୁନା ବାରିକ ।ସୂଚନା ଅନୁଯାୟୀ ମଶାବାରୀ ରୋଡ ସାହିରୁ ଲକ୍ଷ୍ମୀଧର ବିଶୋଇ ବାପା ଛଇଲ ବିଶୋଇ ଙ୍କୁ ବାଇକ୍ ରେ ବସାଇ ଘରଠାରୁ ଦେଢ଼ଶହ ମିଟର କଇବଲ୍ୟପୁର ଗାଁକୁ ଯାଉଥିଲେ ।କୈବଲ୍ୟ ପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ଧକ୍କା ହୋଇଥିଲା । ଧକ୍କା ହେବ ଫଳରେ ୨ ବାଇକରେ ବସିଥିବା ୪ ଜଣ ଯାକ ବିକ୍ଷିପ୍ତ ହୋଇପଡ଼ିଥିଲେ ।ଘଟଣା ସ୍ଥଳରେ ହିଁ ଛଇଲ ବିଶୋଇ ଏବଂ ଲକ୍ଷ୍ମୀଧର ବିଶୋଇଙ୍କ ମୃତ୍ୟୁ ହୋଇଥିଲା ।