
ଚିତ୍ରକୋଣ୍ଡା (ମାଲକାନଗିରି): ଛାତ୍ରଛାତ୍ରୀଙ୍କ ମନୋବଳ ସୁଦୃଢ଼ କରିବା ସହ ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସସି-୬ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ବିଏସଏଫ୍ (BSF) ଯବାନମାନେ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପକ୍ଷରୁ ମହିଳା ଯବାନମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଯବାନମାନେ ନିଜ ନିଜର ସଫଳତା ଓ ସଂଘର୍ଷର କାହାଣୀ ବର୍ଣ୍ଣନା କରିବା ସହ ପିଲାମାନଙ୍କୁ ଶୃଙ୍ଖଳିତ ଜୀବନ ଓ ଦେଶ ସେବା ପାଇଁ ଅନୁପ୍ରାଣିତ କରିଥିଲେ। ଦେଶର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ମହିଳା ଯବାନମାନଙ୍କୁ ନିକଟରୁ ଦେଖି ଏବଂ ସେମାନଙ୍କ ଅନୁଭୂତି ଶୁଣି ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଓ ଉର୍ଜାବାନ ଅନୁଭବ କରିଥିଲେ।
ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏଭଳି ସ୍ୱତନ୍ତ୍ର ପ୍ରୟାସକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ବହୁ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।