
ଚିତ୍ରକୋଣ୍ଡା (ମାଲକାନଗିରି) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଇକୋ ପାର୍କ ପରିସରରେ ବିଶ୍ୱ ଆର୍ଦ୍ରଭୂମି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶର ସନ୍ତୁଳନ ରକ୍ଷା କରିବାରେ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ନଟବର ଗରଡ଼ା, ବିଏସଏଫ୍ (BSF) ସହାୟକ କମାଣ୍ଡାଣ୍ଟ ଶ୍ରୀ ୟଦବିନ୍ଦର ସିଂ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ସମିତି ସଭ୍ୟ ରାଜକମଲ ପୁରୋହିତ ଏବଂ ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ ଚିନ୍ମୟ କୁମାର ବେହେରା, +୨ କଲେଜ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ଦାସ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଶ୍ରୀ ବିଶ୍ୱ ପ୍ରଭାତ ଦାସ ଉପସ୍ଥିତ ରହି ଆର୍ଦ୍ରଭୂମିର ଆବଶ୍ୟକତା ଓ ଏହାର ସୁରକ୍ଷା ସମ୍ପର୍କରେ ନିଜ ନିଜର ବହୁମୂଲ୍ୟ ମତ ରଖିଥିଲେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କ୍ଷୁଦ୍ର ନାଟକ, ସଙ୍ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜର କଳା ପ୍ରଦର୍ଶନ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା।
ଚିତ୍ରକୋଣ୍ଡା ଏସଏସଡି (SSD) ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମୂଲ୍ୟ ସାହୁ ଅତି ଚମତ୍କାର ଭାବେ ମଞ୍ଚ ପରିଚାଳନା କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଚିତ୍ରକୋଣ୍ଡା ବନଖଣ୍ଡ ଅଧିକାରୀ ଶ୍ରୀ ବଳରାମ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନପାଳ ନିରଞ୍ଜନ ସାରକା ଏବଂ ବନ ବିଭାଗର ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଆଗାମୀ ଦିନରେ ବିଶ୍ୱକୁ କିଭଳି ସବୁଜ ଓ ସୁନ୍ଦର କରି ଗଢ଼ିତୋଳାଯାଇପାରିବ, ସେ ନେଇ ଏହି ସଭାରେ ଏକ ବଳିଷ୍ଠ ସଙ୍କଳ୍ପ ନିଆଯାଇଛି।