ଶୋଚନୀୟ ସ୍ଥିତିରେ ଦେୱଡା ମନ୍ଦିର ରାସ୍ତା: ପ୍ରଶାସନିକ ଅବହେଳାରୁ ବଢୁଛି ଦୁର୍ଘଟଣା, ମରାମତି ପାଇଁ ଦାବି

add-all

କୋଟପାଡ଼/କୋରାପୁଟ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ଦେୱଡା ଗ୍ରାମ ଓ ମନ୍ଦିର ରାସ୍ତାର ଅବସ୍ଥା ଏବେ ଅତିବ ଶୋଚନୀୟ ହୋଇପଡିଛି। ଦୀର୍ଘ ଦିନ ଧରି ମରାମତି ଅଭାବରୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଆର୍.ଡି. (R.D.) ମୁଖ୍ୟ ରାସ୍ତା ଠାରୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ, ଅର୍ଥାତ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୀମା ପର୍ଯ୍ୟନ୍ତ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାରୁ ପିଚ୍ ଛାଡ଼ି ଯାଇଥିବା ବେଳେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ମେଟାଲ, ବାଲି ଓ ଗୋଡ଼ି ରାସ୍ତା ଉପରକୁ ବାହାରି ପଡ଼ିଥିବାରୁ ଗାଡ଼ି ଚଳାଚଳ କରିବା ବିପଜ୍ଜନକ ହୋଇଛି।

ଏହି ରାସ୍ତା ଦେଇ ଦୈନିକ ଶହ ଶହ ଦୁଇ ଚକିଆ ଓ ଚାରି ଚକିଆ ଯାନ ସମେତ ଭାରୀ ମାଲବାହୀ ଗାଡ଼ି ଯାତାୟାତ କରିଥାଏ। ରାସ୍ତାର ଖରାପ ଅବସ୍ଥା ଯୋଗୁଁ ପ୍ରତିଦିନ ଅନେକ ଯାତ୍ରୀ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷ କରି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ସୀମାନ୍ତ ଅଞ୍ଚଳର ଲୋକେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର ସମ୍ପୃକ୍ତ ବିଭାଗର ଚରମ ଉଦାସୀନତା ଓ ମନୋଭାବ ଯୋଗୁଁ ରାସ୍ତାର ମରାମତି କାର୍ଯ୍ୟ ହୋଇପାରୁ ନାହିଁ। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ରାସ୍ତାର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।

ad-week
Leave A Reply

Your email address will not be published.