
ନୟାଗଡ଼: ଚଳିତ ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସୁଚାରୁରୂପେ ପରିଚାଳନା ପାଇଁ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଯୋଜନା କରିଛି । ସୂଚନା ଅନୁଯାୟୀ ଜିଲ୍ଲାରେ ୭୫ଟି ପରୀକ୍ଷା କେନ୍ଦ୍ରରେ ୧୨,୨୦୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ପ୍ରତି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଓ କପି ରୋକିବା ପାଇଁ ଜିଲ୍ଲା ସ୍ତରରେ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଜିଲ୍ଲାରେ ୧୨,୧୮୫ ରେଗୁଲାର, ୧୫ଜଣ ଏକ୍ସ ରେଗୁଲାର ଓ ପତ୍ର ବିନିମୟ କାର୍ଯ୍ୟକ୍ରମକୁ ମିଶାଇ ସର୍ବମୋଟ ୧୨,୨୦୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ।ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧୀନରେ ୩୩ଜଣ ରେଗୁଲାର, ୩୭୦ ଜଣ ଏକ୍ସ୍ ରେଗୁଲାର ଛାତ୍ରଛାତ୍ରୀ ମାନଙ୍କୁ ମିଶାଇ ସର୍ବମୋଟ ୪୦୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି ।ଉଭୟ ବର୍ଗର ୧୨,୬୦୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୭୬ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକର ୮ ଟି ପରୀକ୍ଷା କେନ୍ଦ୍ରରେ ୧୨୫୩ ଜଣ, ଦଶପଲ୍ଲା ବ୍ଲକର ୯ ଟି ପରୀକ୍ଷା କେନ୍ଦ୍ରରେ ୧୪୪୩ ଜଣ, ଗଣିଆ ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ୪୨୫ ଜଣ, ଖଣ୍ଡପଡ଼ା ବ୍ଲକର ୯ ଟି ପରୀକ୍ଷା କେନ୍ଦ୍ରରେ ୧୩୦୭ ଜଣ, ନୂଆଗାଁ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୧୭୨ଜଣ, ଓଡ଼ଗାଁ ବ୍ଲକର ୧୧ ଟି ପରୀକ୍ଷା କେନ୍ଦ୍ରରେ ୨୦୨୧ ଜଣ, ରଣପୁର ବ୍ଲକର ୧୩ଟି କେନ୍ଦ୍ରରେ ୨୩୯୫ଜଣ, ସେହିପରି ନୟାଗଡ଼ ୧୪ ଟି ପରୀକ୍ଷା କେନ୍ଦ୍ରରେ ଏଚଏସସି ଓ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ମିଶାଇ ମୋଟ ୨୫୮୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ।ଜିଲ୍ଲାରେ ୬ଟି ନୋଡାଲ ସେଣ୍ଟର୍ କରାଯାଇଛି ।ଏହି ନୋଡାଲ ସେଣ୍ଟର୍ ଗୁଡିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ନୋଡାଲ ସେଣ୍ଟର୍ ଗୁଡ଼ିକ ମଧ୍ୟରୁ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲରୁ ୨୦ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବାକୁ ଥିବାବେଳେ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟରୁ ୧୩, ଓଡ଼ଗାଁ ରଘୁନାଥ ଉଚ୍ଚ ବିଦ୍ୟାଳୟରୁ ୧୨, ରଣପୁର ବିସି ଉଚ୍ଚ ବିଦ୍ୟାଳୟରୁ ୧୩, ଖଣ୍ଡପଡ଼ା ଆରସି ଉଚ୍ଚ ବିଦ୍ୟାଳୟରୁ ୧୧, ଭାପୁର ବ୍ଲକ ଫତେଗଡ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର୍ ରୁ ୬ ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ।ନୋଡାଲ ସେଣ୍ଟର୍ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ।