
ନୟାଗଡ଼:ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ, ଏବଂ ସ୍ଵତନ୍ତ୍ର ସ୍କ୍ୱାର୍ଡ ଟିମ୍ ସହିତ ବାହାଡ଼ାଝୋଲା ସେକ୍ସନ ଅଧିନସ୍ଥ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ୨ଜଣ ଶିକାରୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସହିତ ବନ୍ଧୁକରେ ବ୍ୟବହୃତ ବାରୁଦ ଏବଂ ଗୋଟିଏ ଟାଙ୍ଗିଆ ଜବତ କରାଯାଇଛି।ଅଭିଯୁକ୍ତ ମାନେ ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ହାତିଆଶିଳା ଗ୍ରାମର କିଶୋର ପଣ୍ଡା (୫୫) ଏବଂ ଜାମୁଝୋଲା ଗ୍ରାମର ଯୋଗେନ୍ଦ୍ର ଖଟୁଆ (୫୦) । ସୂଚନା ଅନୁଯାୟୀ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଓଡ଼ଗାଁ ବାନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ବନପାଳ ମନୋଜ କୁମାର ସେଠୀ,ବନରକ୍ଷୀ କବୀର ସାହୁ ଏବଂ ସ୍କ୍ୱାର୍ଡ ଟିମ୍ ଶୁଳିଆ ଜଙ୍ଗଲରେ ପହଞ୍ଚିଥିଲେ ।ଜଙ୍ଗଲର ନିଆଁକୁ ପିଛା କରୁକରୁ ବନ କର୍ମଚାରୀ ମାନେ ଟର୍ଚ୍ଚ ଲାଇଟ୍ ପଡୁଥିବାର ଦେଖିବାକୁ ପାଇଥିଲେ ।ସେହି ଟର୍ଚ୍ଚ ଲାଇଟ୍ କୁ ପିଛା କରି ସାବଧାନତା ସହିତ ଶିକାରୀ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କାବୁ କରିନେଇଥିଲେ ।ସେମାନଙ୍କ ଠାରୁ ଟାଙ୍ଗିଆ ବନ୍ଧୁକ ଛଡ଼ାଇ ଆଣିବା ସହିତ ସେମାନଙ୍କୁ ଓଡ଼ଗାଁ କାର୍ଯ୍ୟାଳୟକୁ ଆଣିଥିଲେ ।ଓଆର ନମ୍ବର ୧୨/୨୦୨୫/୨୬ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ମାତ୍ର ଜାମିନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।