
କଟକ (ନିସର୍ତ୍ତ ନ୍ୟୁଜ): ଆଗାମୀ ଦିନରେ ରାଜ୍ୟରେ ପାଳିତ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ପୋଲିସ ମୁଖ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୩ ତାରିଖରେ ଦୋଳ ପୂର୍ଣ୍ଣିମା, ୪ରେ ହୋଲି, ୨୧ରେ ଇଦ-ଉଲ-ଫିତର, ୨୭ରେ ଶ୍ରୀରାମ ନବମୀ ଏବଂ ଏପ୍ରିଲ ୧୪ରେ ହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବ। ଏହି ସମୟରେ ରାଜ୍ୟବାସୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପର୍ବଗୁଡ଼ିକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଡିଜିପି ବିଶେଷ କରି ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ଓ ଉତ୍ତେଜନାମୂଳକ ପୋଷ୍ଟ ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଜିଲ୍ଲା ସ୍ତରରେ ଥିବା ସାଇବର ସେଲ୍ଗୁଡ଼ିକୁ ସକ୍ରିୟ ରହି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ପରାମର୍ଶ ଦିଆଯାଇଛି।
ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କଡ଼ା ପୋଲିସ ପାଟ୍ରୋଲିଂ, ସିସିଟିଭି ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସାମାଜିକ ସଦଭାବ ବଜାୟ ରଖିବା ପାଇଁ ଶାନ୍ତି କମିଟି ଗଠନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ସୁସମ୍ପର୍କ ରଖିବାକୁ ଡିଜିପି କହିଛନ୍ତି।
ଶୋଭାଯାତ୍ରା ଓ ବାଇକ ରାଲି ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ନିଶାସକ୍ତ ଗାଡ଼ି ଚାଳକ ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ବିଶେଷ କରି ଡିଜେ ବ୍ୟବହାର ଓ ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି। ଯେକୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ସତର୍କ କରାଯାଇଛି।
ଏହି ଆଭାସୀ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ସଞ୍ଜୟ କୁମାର, ଆଇଜିପି ଏସ. ପ୍ରବୀଣ କୁମାର, ଡିଆଇଜିପି ଚରଣ ସିଂ ମିନା, ଯୁଗଳ କିଶୋର ବନୋଥଙ୍କ ସମେତ ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବଂ ଜିଲ୍ଲା ଏସପିମାନେ ଉପସ୍ଥିତ ଥିଲେ।