ପିଏମ ଶ୍ରୀ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ

add-all


ସୁନ୍ଦରଗଡ : ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖରେ ଭାରତରେ ପାଳନ କରାଯାଏ। ୧୯୨୮ ମସିହାରେ ପ୍ରସିଦ୍ଧ ଭାରତୀୟ ପଦାର୍ଥବିଜ୍ଞାନୀ ସାର ସି ଭି ରମଣଙ୍କ ଦ୍ୱାରା “ରମଣ ପ୍ରଭାବ” ଆବିଷ୍କାର ହେବାର ସ୍ମୃତିରେ ଏହି ଦିବସ ପାଳିତ ହୁଏ। ଏହି ଐତିହାସିକ ଆବିଷ୍କାର ପାଇଁ ସେ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଏବଂ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ଏସିଆ ମହାଦେଶର ପ୍ରଥମ ବିଜ୍ଞାନୀ ହେବାର ଗୌରବ ଅର୍ଜନ କରିଥିଲେ।

ଏହି ଦିନ ୧୯୨୮ ମସିହାରେ ସି ଭି ରମଣ ଆଲୋକ କୌଣସି ପାରଦର୍ଶୀ ପଦାର୍ଥ ମାଧ୍ୟମରେ ଯିବାବେଳେ ତାହାର ତରଙ୍ଗଦୈର୍ଘ୍ୟରେ ପରିବର୍ତ୍ତନ ହେବା ବିଷୟରେ ତାଙ୍କ ଆବିଷ୍କାର ଘୋଷଣା କରିଥିଲେ, ଯାହା “ରମଣ ପ୍ରଭାବ” ଭାବେ ପରିଚିତ।

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପିଏମ ଶ୍ରୀ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ବିଜ୍ଞାନ ଆଧାରିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ସି ଭି ରମଣଙ୍କ ଉପରେ ଆଧାରିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀର ବିକ୍ରମ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ବୀର ବିକ୍ରମ ସିଂହ ଦେଓ ସମସ୍ତଙ୍କୁ ସ୍ବାଗତ କରିବା ସହିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସୁନ୍ଦରଗଡ଼ ସରକାରୀ ମହିଳା କଲେଜର ସହାୟକ ପ୍ରାଧ୍ୟାପକ ଚିତ୍ତରଞ୍ଜନ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, ଅନୁସନ୍ଧିତ୍ସୁ ଓ ଗବେଷଣାମୂଳକ ଚିନ୍ତାଧାରା ଗଢ଼ି ତୋଳିବାକୁ ପ୍ରେରଣା ଦେଇଥିଲେ। ସେ ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶରେ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ ବୋଲି ମୁଖ୍ୟ ଅତିଥି ସାରଙ୍ଗଧର ବରିହା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ତଥା ସମସ୍ତଙ୍କୁ ଦେଶର ଉନ୍ନତି ପାଇଁ ହାତ ବଢ଼ାଇବାକୁ ଆହ୍ୱାନ କରିଥିଲେ।

ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭାକୁ ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ସୁସ୍ମିତା ଯୋଷୀ ସଂଚାଳନ କରିଥିଲେ। ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଯଥା ପ୍ୟାରୀମୋହନ ନାଏକ , ବିଧୁଭୂଷଣ ନାୟକ, ପିଙ୍କି ରାଉଡ଼ିଆ, କମଳା ଡୁଙ୍ଗଡୁଙ୍ଗ, ରେଣୁକା ବେହେରା, ପ୍ରଜ୍ଞା ପାତ୍ର, ହେମନ୍ତ ଗିରି, ଜଗନ୍ନାଥ ବାଡା, ଧୀରାଜ ବାଗ, ନେତ୍ର ସାହୁ ଓ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ସା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.