ଏଟିମ୍ ଅଚଳ ଯୋଗୁଁ ଗ୍ରାହକ ହନ୍ତସନ୍ତ

newyr25

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ବି ଅନେକ ସ୍ଥାନରେ ବ୍ୟାଙ୍କ ସେବା ପହଞ୍ଚି ପରି ନଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କୁ ଏଟିଏମ ସେବା ମଧ୍ୟ ସଠିକ ଭାବେ ମିଳୁ ନଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଲୋକେ ଅର୍ଥ କାରବାର ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବର୍ତ୍ତମାନ ଠିକ ଏପରି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦରରୁ। ଯେଉଁଠାରେ ଲୋକଙ୍କୁ ମାସ ମାସ ଧରି ଏଟିଏମ ସେବା ମିଳି ପାରୁନି। ଏଟିଏମ ଘର ରହିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସେଠାରୁ ଟଙ୍କା ଉଠାଇବା ପାଇଁ ସୁବିଧା ମିଳୁ ନଥିବା ବେଳେ ଦୀପ ତଳ ଅନ୍ଧାର ସଦୃଶ ସ୍ଥିତି ଉପୁଜିଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଇରପୁଟ ବ୍ଲକ ସଦରରେ ଲୋକଙ୍କୁ ଅର୍ଥ ଉଠାଣ ପାଇଁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଏଟିଏମ ମେସିନ ସ୍ଥାପନ କରାଯାଇଥିଲା। ଏହି ବ୍ଲକରେ ବଣ୍ଡା ଘାଟି ଭଳି ଦୁର୍ଗମ ଅଞ୍ଚଳ ଥିବା ବେଳେ ସେହି ଅଞ୍ଚଳ ସମେତ ବ୍ଲକ ସଦର ଓ ଆଖପାଖ ଅଞ୍ଚଳର ଲୋକେ ଟଙ୍କା ଉଠାଇବା ପାଇଁ ଉକ୍ତ ଏଟିଏମ ଉପରେ ନିର୍ଭର କରୁଥିଲେ। କିନ୍ତୁ ଆଜକୁ ପ୍ରାୟ ୫ମାସ ରୁ ଉର୍ଦ୍ଧ୍ବ ସମୟ ହେବ ଏହି ଏଟିଏମ ଟି ଖରାପ ହୋଇପଡିଥିବା ବେଳେ ଏହାର ମରାମତି କାର୍ଯ୍ୟ ହେଉ ନଥିବାରୁ ଲୋକେ ଟଙ୍କା ଉଠାଇବା ରେ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ବ୍ୟାଙ୍କ ଖୋଲା ଦିନ ଲୋକେ ଟଙ୍କା ଉଠାଇବା ପାଇଁ ଭିଡ଼ ଯମାଉ ଥିବା ବେଳେ ଅନ୍ୟ ଦିନେ ଲୋକେ ଏଟିଏମ ମେସିନ କାରବାର ପାଇଁ ବ୍ଲକ ସଦରରୁ ପ୍ରାୟ ୧୦ ରୁ ୧୨ କମି ଯାତ୍ରା କରିବାକୁ ପଡୁଛି। ଉକ୍ତ ଏଟିଏମ ଅଚଳ ଥିବା ବେଳେ ଏଟିଏମ ମେସିନ ତିଆରି କରିବା ପାଇଁ ଲୋକେ ଅନେକ ଥର ଅନୁରୋଧ କରିଥିଲେ ହେଁ ଏହାର ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ଦୀର୍ଘ ମାସ ସତ୍ତ୍ୱେ ଏହି ଏକମାତ୍ର ଏଟିଏମ ମେସିନର ମରାମତି ହେଉ ନଥିବା ବେଳେ ଏହାର ତୁରନ୍ତ ମରାମତି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ତେବେ ଏନେଇ ଆମେ ମାଲକାନଗିରି ଜିଲ୍ଲା ଏଟିଏମ ପରିଚାଳକ ରମେଶ କୁମାର ଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା।

Leave A Reply

Your email address will not be published.