ରାତିରେ ବିପୁଳ ପରିମାଣର ମାଙ୍କଡ଼ା ପଥର ଚୋରା ଚାଲାଣ : ବେଆଇନ ମାଙ୍କଡ଼ା ପଥର ଖଣିରେ ୧୪୪ ଧାରା ଲାଗୁ ପାଇଁ ଦାବି

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ଏନଏସି ଅଞ୍ଚଳ ଏବଂ ଏହାର ଆଖପାଖ ଥିବା ଗାଁ ଗୁଡିକରେ କୋମଣ୍ଡ ରାଜସ୍ବ ଅଞ୍ଚଳର ଭଗବତୀ ପ୍ରସାଦ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ବିପୁଳ ପରିମାଣର ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ଖଣି ବିଭାଗ କିନ୍ତୁ ଜଳକା ।ଖଣି ବିଭାଗ ଅଧିକାରୀ ବିଭିନ୍ନ ଉପାୟରେ ରାତିରେ ଖଣି ପାଖରେ ପହଞ୍ଚିବା ବେଳକୁ ଖଣିରେ କାହାକୁ ଦେଖିବାକୁ ପାଆନ୍ତି ନାହିଁ ।କିନ୍ତୁ ଖଣି ମାଫିଆ ମାନେ ସେହି ରାତିରେ ବିଭିନ୍ନ ଅଞ୍ଚଳକୁ କୌଶଳ କ୍ରମେ ମାଙ୍କଡ଼ା ଚୋରା ଚାଲାଣ କରିଛନ୍ତି ।

ପୋଲିସ ଚଢ଼ାଉ କିମ୍ବା ଖଣି ବିଭାଗର ଚଢ଼ାଉ ସମ୍ପର୍କରେ ଗୁପ୍ତ ସୂଚନା ଖଣି ମାଫିଆ ମାନେ ଜାଣିବା ପରେ ସଚେତନ ହୋଇଯାଉଛନ୍ତି। ତେଣୁ ପୋଲିସ ଓ ଖଣି ବିଭାଗ ପକ୍ଷରୁ ଅନେକ ଥର ଚଢ଼ାଉ ବେଳେ ବିଫଳ ହୋଇ ଫେରୁଛନ୍ତି ।ଖଣି ମାଫିଆ ମାନଙ୍କ ଗୁପ୍ତଚର ସୂଚନା ବଳିଷ୍ଠ ଥିବାରୁ ଖଣି ଅଧିକାରୀ ସେମାନଙ୍କର ସୁରକ୍ଷା ବାଳୟକୁ ଭେଦ କରି ପାରୁନାହାନ୍ତି ।ଯେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବେଆଇନ ଭାବରେ ମାଙ୍କଡ଼ା ପଥର କଟା ଯାଉଛି ଓ ସେଗୁଡିକୁ ଚୋରା ଚାଲାଣ କରାଯାଉଛି ଉକ୍ତ ଅଞ୍ଚଳକୁ ଚିହ୍ନଟ କରି ୧୪୪ ଧାରା ଘୋଷଣା କରାଗଲେ ହୁଏତ ଏହି ବେଆଇନ କାର୍ଯ୍ୟରେ ରୋକ ଲାଗିପାରନ୍ତା ବୋଲି ଦାବି ହୋଇଛି ।ସେହିପରି ଯେଉଁ ଗାଡ଼ି ଗୁଡ଼ିକ ମାଙ୍କଡ଼ା ଚାଲାଣ ବେଳେ ଧାରା ପଡ଼ୁଛନ୍ତି ସେଗୁଡିକୁ ଅଳ୍ପ ଜୋରିମାନା ଦେଇ ଛାଡ଼ି ଦିଆଯାଉଛି ଯାହାକି ଅବାଧ ଚୋରା ଚାଲାଣ କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ।
ନିଜର ସ୍ବାର୍ଥ ପାଇଁ ପ୍ରକୃତିର ପ୍ରକୃତ ସ୍ୱରୁପକୁ ବା ପ୍ରକୃତ ସ୍ଥିତିକୁ ବାରମ୍ବାର ନଷ୍ଟ କରାଯାଉଛି । ଖଣି ଅଞ୍ଚଳରେ ଥିବା ଗଛ ଗୁଡ଼ିକୁ କଟାଯାଇ ପ୍ରଥମେ ସେଗୁଡିକୁ ଟାଙ୍ଗରା ଭୂମିରେ ପରିଣତ କରାଯାଉଛି ।ଉପରେ ଥିବା ଉର୍ବର ମାଟିକୁ ବାହାର କରି ତାର ତଳେ ଥିବା ମାଙ୍କଡ଼ା ପଥରକୁ ଜେସିବି, ବିଭିନ୍ନ ମେସିନ ଦ୍ଵାରା କଟା ଯାଉଛି ।ଯାହାକି ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ କରୁଛି। ସ୍ଥାନୀୟ ଅଞ୍ଚଳରେ ଏହି ଅବାଞ୍ଛିତ ପଥର ଖଣି ଯୋଗୁଁ ବର୍ଷ ଦିନରେ ଖାଲୁଆ ଅଞ୍ଚଳରେ ପାଣି ଜମି ଅନେକ ପୋଖରୀ ସୃଷ୍ଟି ହୋଇ ଅନେକ ଜୀବନ ଯିବାର ନଜିର ରହିଛି ।ତେଣୁ ଏହି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଖଣି ଖୋଳା ଯାଉଥିବା ନିର୍ଦ୍ଦିଷ୍ଟ ଅଞ୍ଚଳକୁ ୧୪୪ ଧାରା ଲାଗୁ କଲେ ହୁଏତ ଏହା ଉପରେ ରୋକ ଲଗିପାରିବ।

Leave A Reply

Your email address will not be published.