
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଏକ ଭଡ଼ାଘରେ ଚାଇଲ୍ଡ ହେଲ୍ପଲାଇନ ଟିମ୍ ଦ୍ଵାରା ନାବାଳିକା ଓ ନାବାଳକକୁ ଉଦ୍ଧାର କରାଯାଇଛି ।ନାବାଳକ ଜଣକ ଓଡ଼ଗାଁ ଅଂଚଳର ହୋଇଥିବା ବେଳେ ନାବାଳିକା ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣା ପଡିଛି ।ଦୁହେଁ ମନ୍ଦିରରେ ବିବାହ କରି ଓଡ଼ଗାଁ ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ହେଲ୍ପଲାଇନ ଟିମ୍ ପକ୍ଷରୁ ଅଳକା ପାହାଡସିଂ, ଉତ୍ତମ ପ୍ରଧାନ, ଓଡ଼ଗାଁ ପୋଲିସ ଏସଆଇ ମନୋରଞ୍ଜନ ଦେହୁରୀ ପ୍ରମୁଖ ଉକ୍ତ ଭଡ଼ାଘରେ ପହଞ୍ଚି ଏହି ନାବାଳିକା ଓ ନାବାଳକ ଙ୍କୁ ଉଦ୍ଧାର କରିଥିଲେ ।ନାବାଳକର ବୟସ ୧୭ ବର୍ଷ ହୋଇଥିବା ବେଳେ ନାବାଳିକା ର ବୟସ ୧୬ ବର୍ଷ ବୋଲି ଜଣାପଡିଛି ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚନ୍ଦ୍ରଶେଖର ନାୟକଙ୍କ ସୂଚନା ଅନୁଯାୟୀ ଉଭୟ ଆମର ହେପାଜତରେ ଅଛନ୍ତି । ନାବାଳକକୁ ଷ୍ଟେ ହୋମରେ ରଖାଯିବ ଏବଂ ନାବାଳିକାକୁ ତାଙ୍କର ପରିବାରକୁ ହସ୍ତାନ୍ତର କରାଯିବ ।ଯଦି ନାବାଳିକାର ପରିବାର ନ ଆସନ୍ତି ତେବେ ଜଗତସିଂହପୁର ଯାଇ ତାଙ୍କର ପରିବାର ଜିମା ଦିଆଯିବ ବୋଲି ସୂଚନା ମିଳିଛି l