
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଓଡିଶା ପରିବହନ ନିଗମ ଦ୍ଵାରା ନିର୍ମାଣାଧୀନ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱ ପ୍ରାଚୀର ନିର୍ମାଣକୁ ୩ ମୌଜା ଲୋକଙ୍କ ବିରୋଧ ।ପୋଲିସ ହାଉସିଂ କର୍ପୋରେସନ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଶୁଭେନ୍ଦୁ କୁମାର ମହାନ୍ତି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଦେଖିବାକୁ ଆସିଥିବା ବେଳେ ଓଡ଼ଗାଁ ଏନଏସି ଅନ୍ତର୍ଗତ ଖଜୁରିଆ, ମଠଖଜୁରିଆ, କୁମ୍ଭିଆପଲ୍ଲୀ ମୌଜାର ଗ୍ରାମ ପ୍ରତିନିଧି ମାନେ ଏକତ୍ରିତ ହୋଇ ଆମକୁ ଓସାରିଆ ରାସ୍ତା ଦିଅନ୍ତୁ, ପରେ ପ୍ରାଚୀର ନିର୍ମାଣ କରନ୍ତୁ ।
ଯଦି ରାସ୍ତା ଓସାର ନକରି ପ୍ରାଚୀର ନିର୍ମାଣ କରାଯାଏ ତେବେ ଆମେମାନେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ବାଧ୍ୟ ହେବୁ ବୋଲି ପ୍ରୋଜେକ୍ଟ ମ୍ୟାନେଜର ନିକଟରେ ଅଭିଯୋଗ କରିଥିଲେ।ଏହି ରାସ୍ତା ଦେଇ ପ୍ରତିଦିନ ଆମ ୩ଖଣ୍ଡ ମୌଜାର ଚାଷୀ ମାନେ ଓଡ଼ଗାଁ ବଜାରକୁ ଫସଲ, ଫଳ ଓ ପନିପରିବା ନେଇଥାନ୍ତି ।କୁମ୍ଭିଆପଲ୍ଲୀ ଠାରେ ଥିବା ଏକ ଘରୋଇ କଲେଜକୁ ପ୍ରତିଦିନ ୬ଶହରୁ ଉର୍ଦ୍ଧ୍ବ ପିଲା ଯିବା ଆସିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରାଯାଉଛି।ତେଣୁ ଏହି ସବୁକୁ ଲକ୍ଷ୍ୟ କରି ରାସ୍ତାକୁ ଚଉଡ଼ା କରିବା ଦରକାର ବୋଲି ଦାବି ହୋଇଥିଲା। ତେବେ ରାସ୍ତା ଚଉଡ଼ା ଓ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ସ୍ଥାନୀୟ ତହସିଲଦାର, ଏନଏସି କତୃପକ୍ଷ ଏବଂ ଓଡ଼ିଶା ସଡକ ପରିବହନ ନିଗମକୁ ଲିଖିତ ଭାବରେ ଅଭିଯୋଗ କରିବାକୁ ପ୍ରୋଜେକ୍ଟ ମ୍ୟାନେଜର ପରାମର୍ଶ ଦେଇଥିଲେ ।