
ଉମରକୋଟ /ଝରିଗାଁ : ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କୃଷକ ମୋର୍ଚ୍ଚାର ଜିଲ୍ଲା ସ୍ତରୀୟ ନୂତନ ପଦାଧିକାରୀ ତାଲିକା ଘୋଷଣା କରାଯାଇଛି। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଘୋଷିତ ଏହି ତାଲିକାରେ ନବରଙ୍ଗପୁର ଜିଲ୍ଲା ପାଇଁ ଜଗଦିଶ କଲାରଙ୍କୁ କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିବା ସୂଚନା ମିଳିଛି।
ଜଗଦିଶ କଲାର ଦୀର୍ଘ ଦିନ ଧରି ବିଜେପି ସଂଗଠନ ସହିତ ଜଡିତ ରହି ବିଭିନ୍ନ ଦାୟିତ୍ୱରେ ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ଜିଲ୍ଲାରେ ସଂଗଠନକୁ ମଜବୁତ କରିବା ସହିତ କୃଷକମାନଙ୍କ ସମସ୍ୟା ଉଠାଇବାରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ଦଳ ତାଙ୍କର ଏହି ଅଭିଜ୍ଞତା ଓ ସମର୍ପଣକୁ ମୂଲ୍ୟାୟନ କରି ପୁନର୍ବାର ଏହି ଦାୟିତ୍ୱ ଦେଇଛି।
ବିଶେଷ କରି ଏହା ତାଙ୍କର ଚତୁର୍ଥ ଥର ପାଇଁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ହେବାରୁ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଏହି ନିଯୁକ୍ତିକୁ ନେଇ ନବରଙ୍ଗପୁର ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପ ସଭାପତି ରମେଶ ସାହୁ, ଝରିଗାଁ ବିଧାୟକ ନରସିଂ ଭତରା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଓ ଯୁବ ମୋର୍ଚ୍ଚା ସଭାପତି ଗଜେନ୍ଦ୍ର ପାଣ୍ଡେ ସହ ଅନ୍ୟାନ୍ୟ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି।
ଦଳୀୟ ମହଳର ମତାନୁସାରେ, ଜଗଦିଶ କଲାରଙ୍କ ନେତୃତ୍ୱରେ ଆଗାମୀ ଦିନରେ ଜିଲ୍ଲା କୃଷକ ମୋର୍ଚ୍ଚା ଆହୁରି ସକ୍ରିୟ ଓ ସୁଦୃଢ଼ ହେବା ସହ କୃଷକମାନଙ୍କ ହିତରେ ଅଧିକ କାର୍ଯ୍ୟ ହେବ ବୋଲି ଆଶା ପ୍ରକାଶ ପାଇଛି।