ବ୍ରହ୍ମପୁରରେ ‘ଅଭିନୟ ଜଗତ’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ: ବହୁ କଳାକାର ସମ୍ବର୍ଦ୍ଧିତ

add-all

ବ୍ରହ୍ମପୁର :  ରେଶମ ସହର ବ୍ରହ୍ମପୁରଠାରେ ସଂସ୍କୃତିଧର୍ମୀ ପତ୍ରିକା ‘ଅଭିନୟ ଜଗତ’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳା ଓ ସଂସ୍କୃତିର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା।
ଅପରାହ୍ନରେ ଏକ ଭବ୍ୟ କଳାକାର ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହାକୁ ଗଞ୍ଜାମ କଳା ପରିଷଦର ସାଧାରଣ ସମ୍ପାଦକ ଅପୂର୍ବ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ. ମିହିର କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ, ଓଡ଼ିଶା ନାଟ୍ୟ ସଂଘ ତରଫରୁ ଭବାନୀ ଶଙ୍କର ମିଶ୍ର ଏବଂ ଇଂ. ମନୋଜ ଦଣ୍ଡପାଟ ଅତିଥି ଭାବେ ଯୋଗ ଦେଇଥିଲେ। ଶୋଭାଯାତ୍ରାରେ କୈଳାସ ପାଣିଗ୍ରାହୀ, ସୁଦୀପ ସାହୁ, ଛବିରାଣୀ ମହାନ୍ତି, ତାପସ ପାଣିଗ୍ରାହୀ, ସୁବୋଧ ପଟ୍ଟନାୟକ ଓ ଶଙ୍କର୍ଷଣ ସାବତଙ୍କ ସମେତ ବହୁ ବିଶିଷ୍ଟ କଳାକାର ସାମିଲ ହୋଇଥିଲେ।
ପରେ ଉତ୍କଳ ଆଶ୍ରମ ମୁକ୍ତ ମଞ୍ଚରେ ଏକ ସାଂସ୍କୃତିକ ସଭା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା କଳାକାର ସଂଘର ସଭାପତି ଶଙ୍କର୍ଷଣ ସାବତ, ନାଟ୍ୟକାର ତ୍ରିପତି ନାୟକ ଏବଂ ନାଳନ୍ଦାଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳି ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ନାଟକ ଓ କଳାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ନାଟ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ନାଟ୍ୟକାର ଗିରିଜା ଶଙ୍କର ଦାଶଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମନୋଜ୍ଞ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।

ସୁନନ୍ଦା ରାଣୀ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡ. ମିହିର କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ ଏବଂ ସୁରେଶ ନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଉତ୍ସବଟି ସ୍ଥାନୀୟ କଳାକାର ଓ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା।

ad-week
Leave A Reply

Your email address will not be published.