ଉମରକୋଟରେ ରନ୍ଧନ ଗ୍ୟାସ କଳାବଜାରୀ ଉପରେ ପ୍ରଶାସନର ଚଢ଼ାଉ: ବିପୁଳ ପରିମାଣର ସିଲିଣ୍ଡର ଜବତ

add-all

ଉମରକୋଟ (ନିସର୍ତ୍ତ ନ୍ୟୁଜ) :  ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ରନ୍ଧନ ଗ୍ୟାସର କୃତ୍ରିମ ସଂକଟ ଓ କଳାବଜାରୀ ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଏହି ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରାୟ ୩୮ଟି ଖାଲି ସିଲିଣ୍ଡର ଜବତ କରାଯିବା ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶିଛି।
ସୂଚନା ଅନୁଯାୟୀ, ସନ୍ତୋଷୀ ନଗରସ୍ଥିତ ଏକ ବନ୍ଦ ଘରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ ଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ପ୍ରାଥମିକ ଯାଞ୍ଚ ପରେ ଘରଟିକୁ ତାଲା ପକାଇ ସିଲ୍ କରାଯାଇଛି। ସେଠାରେ କେତେ ପରିମାଣର ସିଲିଣ୍ଡର ରହିଛି, ତାହା ଆସନ୍ତାକାଲି ଗଣତି ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ସେହିପରି ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟ ପରିସରରୁ ଦୀପକ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫ଟି ଖାଲି ସିଲିଣ୍ଡର ଜବତ କରାଯାଇଛି। ବସଷ୍ଟାଣ୍ଡ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ବିପଦଜନକ ଭାବେ ସିଲିଣ୍ଡର ରଖାଯାଇଥିବାରୁ ସାଧାରଣ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅନ୍ୟପଟେ, ଝରୀଗାଁ ରୋଡ୍‌ର ମନୋଜ ଅଗ୍ରୱାଲଙ୍କ ନିକଟରୁ ୩୩ଟି ସିଲିଣ୍ଡର ଜବତ ହୋଇଛି। ତେବେ ଏହି ସିଲିଣ୍ଡରଗୁଡ଼ିକ ତାଙ୍କର ବ୍ୟକ୍ତିଗତ ନୁହେଁ, ବରଂ ଅନ୍ୟ ଗ୍ରାହକଙ୍କ ଖାତାରେ ଥିବା ଗ୍ୟାସ ବୋଲି ସେ ସଫାଇ ଦେଇଛନ୍ତି। ଏହାସହ ନୂଆ ବସଷ୍ଟାଣ୍ଡ ଅଞ୍ଚଳରୁ ମଧ୍ୟ କିଛି ଘରୋଇ ସିଲିଣ୍ଡର ଜବତ କରାଯାଇଛି।

ଏହି ମିଳିତ ଚଢ଼ାଉରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଉପ-ଆରକ୍ଷୀ ଅଧିକାରୀ ଆଦିତ୍ୟ ସେନ, ଏସଡିପିଓ (SDPO) ଶୁଭେନ୍ଦୁ ଶବର, ତହସିଲଦାର ମଘବାନ ବାଗ, ଉମରକୋଟ ଆଇଆଇସି (IIC) ବିପିନ କୁମାର ବାଘ, ଏଏସଆଇ ତପନ ମିଶ୍ର ଏବଂ ଯୋଗାଣ ଅଧିକାରୀ ସୁନୀଲ ଜେନାଙ୍କ ସମେତ ଥାନା କର୍ମଚାରୀମାନେ ସାମିଲ ଥିଲେ।
କେବଳ ଉମରକୋଟ ନୁହେଁ, ବରଂ ପଡ଼ୋଶୀ ରାଇଘର ବ୍ଲକରେ ମଧ୍ୟ ରନ୍ଧନ ଗ୍ୟାସର କଳାବଜାରୀ ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହେଉଛି। ଦିନ ଦ୍ୱିପ୍ରହରରେ ବେଆଇନ କାରବାର ଚାଲୁଥିବାରୁ ସାଧାରଣ ଖାଉଟିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ପ୍ରଶାସନ ରାଇଘର ଅଞ୍ଚଳରେ ଏହି କଳାବଜାରୀ ରୋକିବା ପାଇଁ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.