
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ୫୯ ହଜାରରୁ ଉର୍ଦ୍ଧ୍ଵ ଚାଷୀ ପଞ୍ଜିକରଣ କରିଥିଲେ କିନ୍ତୁ ୫୬,୩୫୪ ଚାଷୀ ଧାନ ବିକ୍ରି କରିଛନ୍ତି ।ସେମାନଙ୍କ ଠାରୁ ମୋଟ ୧୭ ଲକ୍ଷ ୨ହଜାର ୬୩୬ କ୍ଵିଣ୍ଟାଲ ଧାନ କିଣା ଯାଇଛି । ମାତ୍ର ଗତ ବର୍ଷ ୫୧ ହଜାର ୬୮୨ ଜଣ ଚାଷୀଙ୍କ ଠାରୁ ୧୬ ଲକ୍ଷ ୯୩ ହଜାର ୨୯୦ କ୍ଵିଣ୍ଟାଲ ଧାନ କିଣା ଯାଇଥିଲା ।ଚଳିତ ବର୍ଷ ଧାନ କିଣା ସୁବିଧା ପାଇଁ ୧୭୪ ଟି ମଣ୍ଡି କରାଯାଇଥିଲା ।ଜିଲ୍ଲାରେ ଗତ ବର୍ଷ ଠାରୁ ଚଳିତ ବର୍ଷ ୪୬୯୨ ଚାଷୀ ଅଧିକ ଧାନ ବିକ୍ରି କରିଥିବା ବେଳେ ଗତ ବର୍ଷ ଠାରୁ ମାତ୍ର ୯,୩୪୬ କ୍ଵିଣ୍ଟାଲ ଧାନ ଅଧିକ କିଣାଯାଇଛି ।ସରକାର ଚଳିତ ବର୍ଷ ଟୋକନ କମାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ଜିଲ୍ଲାରେ ଧାନ କିଣା ପ୍ରାୟ ସରିଯାଇଥିଲେ ମଧ୍ୟ ଆହୁରି ୪ ଲକ୍ଷରୁ ଉର୍ଦ୍ଧ୍ଵ କ୍ଵିଣ୍ଟାଲ ଧାନ ବଳକା ରହିଯାଇଛି ।ବଳକା ଥିବା ଧାନକୁ ନେଇ ଚାଷୀ ଚିନ୍ତାରେ ରହିଥିବା ବେଳେ ଚାଷୀ ମାନେ ଏହି ବଳକା ଧାନକୁ ବିଭିନ୍ନ ଚୁଡ଼ା କଳକୁ କ୍ଵିଣ୍ଟାଲ ପିଛା ୧୫ଶହ ଟଙ୍କାରେ ବିକ୍ରି କରିଥିବାର ସୂଚନା ମିଳିଛି ।
ଜିଲ୍ଲାରେ ଧାନ କିଣା ଡିସେମ୍ବର ମାସରେ ଶୁଭାରମ୍ଭ ହୋଇଥିବା ବେଳେ ବାସ୍ତବରେ ଜାନୁଆରୀ ଶେଷ ସପ୍ତାହ ବେଳକୁ ଧାନ କିଣା ସ୍ଵାଭାବିକ ହୋଇଥିଲା ।ଜିଲ୍ଲାର ୧୫ ମିଲର୍ ଏହି ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ କଟନି ଛଟନି କୁ ନେଇ ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଜିଲ୍ଲାରେ ମିଲରଙ୍କ ଜିଦ୍ ଆଗରେ ଚାଷୀ ମୁଣ୍ଡ ନୁଆଇବାକୁ ବାଧ୍ୟ ହୋଇଥିଲେ ।କ୍ଵିଣ୍ଟାଲ ପିଛା ସର୍ବନିମ୍ନ ୬ କେଜି ଏବଂ ସର୍ବାଧିକ ୭ କେଜି ଲେଖାଏଁ କଟନୀଛଟନି କରାଯାଇଥିଲା । ଏହି କଟନୀଛଟନି ରୁ ମିଲର ମାନେ ପ୍ରାୟ ୧ ଲକ୍ଷ କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ଧାନ ଚାଷୀ ଠାରୁ ଲୁଟିଥିବା ଅଭିଯୋଗ ହୋଇଛି।କଟନୀଛଟନି ଦ୍ୱାରା ଲୁଟିଥିବା ଧାନର ମୂଲ୍ୟ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଧାନ ସଂଗ୍ରହ ଚିଠା ଏବଂ ମିଲରଙ୍କ ଗୋଦାମରେ ଗଚ୍ଛିତ ଧାନର ପରିମାଣକୁ ଯାଞ୍ଚ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।