
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଚାଲିଥିବା ବେଆଇନ ବାଣ କାରବାର ବିରୁଦ୍ଧରେ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ୪ଲକ୍ଷ ଟଙ୍କାର ବାଣ, ବାଣ ତିଆରି ସାମଗ୍ରୀ ସହିତ ୫ ଜଣକୁ ଗିରଫ କରାଯାଇଥିବାର ନୟାଗଡ଼ ଏସ.ପି ଶ୍ରୀମତୀ ଏସ. ସୁଶ୍ରୀ ସୂଚନା ଦେଇଛନ୍ତି। ନୟାଗଡ଼ ଏସ.ପି ଶ୍ରୀମତୀ ଏସ. ସୁଶ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି ସ୍ଵତନ୍ତ୍ର ଅଭିଯାନରେ ନୟାଗଡ଼ ସବ ଡିଭିଜନ ଅନ୍ତର୍ଗତ ଇଟାମାଟି ଓ ସଦର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଇଟାମାଟି ପୋଲିସ ପ୍ରାୟ ୨.୫ ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ୪ ଜଣକୁ ଗିରଫ କରାଯାଇଛି। ସେହିପରି ନୟାଗଡ଼ ସଦର ପୋଲିସ ଚଢ଼ାଉ କରି ପ୍ରାୟ ୧.୫ ଲକ୍ଷ ଟଙ୍କାର ବାଣ ଜବତ ସହିତ ଜଣକୁ ଗିରଫ କରାଯାଇଛି। ପୋଲିସ ଦ୍ବାରା ଗିରଫ ବ୍ୟକ୍ତି ମାନେ ହେଲେ ଇଟାମାଟି ତନ୍ତୀ ସାହିର ନୀଳମାଧବ ସେନାପତି, ରାମଚନ୍ଦ୍ର ସାହୁ, ପ୍ରକାଶ ସାହୁ, କୁମାର ବାଇ ଓ ନୟାଗଡ଼ ପଲ୍ଲୀ ଶାସନର ଲଡୁ କିଶୋର ଭଟ୍ଟ । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିନା ଅନୁମତିରେ ଏବଂ ବିପଦଜନକ ବାଣ ମହଜୁଦ ରଖିବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ।ଏହି ବେଆଇନ ବିସ୍ଫୋରକ କାରବାରକୁ ରୋକିବା ପାଇଁ ଏହିପରି ଚଢ଼ାଉ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ନୟାଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି।