
ଉମରକୋଟ, (୧୮/୦୪/୨୦୨୬) ରନ୍ଧନ ଗ୍ୟାସ ଯୋଗାଣରେ ଦୀର୍ଘଦିନ ଧରି ଚାଲୁଥିବା ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଉମରକୋଟ ଅଞ୍ଚଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ଥିର ହୋଇପଡ଼ିଛି। ଦିନକୁ ଦିନ ଗ୍ୟାସ ଅଭାବ ବୃଦ୍ଧି ପାଇବା ସହିତ ଖାଉଟିମାନେ ଦୁର୍ଭୋଗର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ଓ ଗ୍ୟାସ ଏଜେନ୍ସିଙ୍କ ନିଷ୍କ୍ରିୟତା ଉପରେ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିୟମ ଅନୁଯାୟୀ ଗ୍ୟାସ ବୁକିଂ ପରେ ୨୫ ଦିନ ମଧ୍ୟରେ ସିଲିଣ୍ଡର ମିଳିବା କଥା ଥିବା ସତ୍ତ୍ୱେ, ବାସ୍ତବରେ ଖାଉଟିମାନେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଏହି ବିଳମ୍ବ ଦ୍ୱାରା ଗୃହିଣୀମାନେ ରନ୍ଧନ କାମରେ ଅସୁବିଧା ହେଉଥିବା ବେଳେ ଦୈନନ୍ଦିନ ଜୀବନରେ ଗଭୀର ପ୍ରଭାବ ପଡ଼ୁଛି। ଏହି ଗୁରୁତର ସମସ୍ୟାକୁ ନେଇ ଆଜି ଉମରକୋଟ ବ୍ଲକ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ ଦେଖାଯାଇଛି। ରାଜ୍ୟ ରାଜପଥ ଅବରୋଧ କରି ସରକାର ଓ ସମ୍ପୃକ୍ତ ବିଭାଗଙ୍କ ଦ୍ରଷ୍ଟିଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲା। ପ୍ରତିବାଦକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଗ୍ୟାସ ଯୋଗାଣର ସ୍ଥାୟୀ ସମାଧାନ ହେବ ନାହିଁ, ସେପର୍ଯ୍ୟନ୍ତ ତାଙ୍କର ଆନ୍ଦୋଳନ ଜାରି ରହିବ। ପ୍ରତିବାଦରେ ଜିଲ୍ଲା ଓ ବ୍ଲକ ସ୍ତରର କଂଗ୍ରେସ ନେତୃତ୍ୱ ସହ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଗ୍ୟାସ ଏଜେନ୍ସି ମାନେ ଜନସାଧାରଣଙ୍କ ସମସ୍ୟାକୁ ଅବହେଳା କରୁଛନ୍ତି ଏବଂ ପ୍ରଶାସନ ମଧ୍ୟ ଏହାର ସମାଧାନରେ ଗମ୍ଭୀର ନୁହେଁ। ଏହି ଆନ୍ଦୋଳନକୁ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ବ୍ୟାପକ ସମର୍ଥନ ମିଳିଥିବା ଦେଖାଯାଇଛି। ସାଧାରଣ ଲୋକମାନେ କହିଛନ୍ତି ଯେ, ଦୀର୍ଘଦିନ ଧରି ଚାଲୁଥିବା ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ।
ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମସ୍ତଙ୍କ ଦ୍ରଷ୍ଟି ଏବେ ପ୍ରଶାସନ ଉପରେ ନିର୍ଭର କରୁଛି।
