ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ସେତୁବନ୍ଧ: ଉମରକୋଟରେ ଦ୍ୱିଭାଷୀ ପତ୍ରିକା ‘ଦଣ୍ଡକ ସାଥୀ’ ଉନ୍ମୋଚିତ

add-all

ଉମରକୋଟ (ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୨ନଂ ବଡକୁମାରୀ ଗ୍ରାମଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଦ୍ୱିଭାଷୀ ସାହିତ୍ୟ ପତ୍ରିକା (ଓଡ଼ିଆ ଓ ବଙ୍ଗଳା) ‘ଦଣ୍ଡକ ସାଥୀ’ର ଉନ୍ମୋଚନ, କବି ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଦୁଇଟି ସମୃଦ୍ଧ ଭାଷା ଓ ସଂସ୍କୃତି ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି।
ଓଡ଼ିଆ ଭାଷାର ସରଳତା ଓ ମାଟିର ଗନ୍ଧ ସହିତ ବଙ୍ଗଳା ଭାଷାର କାବ୍ୟମୟ ମାଧୁର୍ଯ୍ୟର ସମ୍ମିଳନ ‘ଦଣ୍ଡକ ସାଥୀ’ ପତ୍ରିକା ମାଧ୍ୟମରେ ପ୍ରତିଫଳିତ ହୋଇଛି। ଯେପରି ରବୀନ୍ଦ୍ରନାଥ ଠାକୁର ଓ ଫକିର ମୋହନ ସେନାପତି ନିଜ ନିଜ ସାହିତ୍ୟ ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେଇଥିଲେ, ଏହି ପତ୍ରିକା ମଧ୍ୟ ଦୁଇ ଭାଷାର ଲେଖକ ଓ ପାଠକଙ୍କ ମଧ୍ୟରେ ଭାବନାର ଆଦାନପ୍ରଦାନ ପାଇଁ ଏକ ସୁନ୍ଦର ସେତୁ ସଦୃଶ କାର୍ଯ୍ୟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ସମ୍ପାଦକ ବଙ୍କିମ ଚନ୍ଦ୍ର ମଣ୍ଡଳଙ୍କ ଦ୍ୱାରା ସମ୍ପାଦିତ ଏବଂ ‘ଚେତନା’ ଅନୁଷ୍ଠାନର ସଭାପତି ତଥା ପ୍ରକାଶକ ଗୁରୁଦାସ ମଣ୍ଡଳଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ନିଖିଳ ବାଙ୍ଗାଲୀ ସମନ୍ୱୟ ସମିତି ସଭାପତି ତଥା ପୂର୍ବତନ ବିଧାୟକ ନିମାଇଁ ଚନ୍ଦ୍ର ସରକାର ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିଲେ। ମଞ୍ଚରେ ଉପଦେଷ୍ଟା ତପନ କୁମାର ପାଲ ଓ ଅରୁଣ କୁମାର ମୃଧା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୟନ୍ତ କୁମାର ସାନା, ଇନ୍ଦ୍ର ନୀଳ କର, ଶୁଭମ କିର୍ତ୍ତନୀୟା ଓ ଚନ୍ଦନା ମଲ୍ଲିକଙ୍କ ଦ୍ୱାରା ସଙ୍ଗୀତ ଗାନ କରାଯାଇଥିଲା।
ଏହି ଅବସରରେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ରସିକ ସରକାର, ସୁବ୍ରତ ବିଶ୍ୱାସ, ହରସିତ ମାଲାକାର, ହରେକୃଷ୍ଣ ମଣ୍ଡଳ, ପଙ୍କଜ ଗାଇନ, ଏମ. ହିମାଂସୁ ଆଚାରୀ ଓ ନଗେନ ସର୍ଦାରଙ୍କୁ ‘କୃଷ୍ଣ ପଦ ହୀରା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଶିକ୍ଷା କ୍ଷେତ୍ରରେ ଉମରକୋଟ ଗୁରୁକୃପା ଚାରିଟେବୁଲ୍ ଶିକ୍ଷାନୁଷ୍ଠାନ ଓ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟକୁ ‘ଶ୍ରେଷ୍ଠ ଶିକ୍ଷାକେନ୍ଦ୍ର’ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଆଦର୍ଶ ଶିକ୍ଷକ ଭାବେ ଦିଲିପ କୁମାର ଦାସ, ସମ୍ପଦ ମଲ୍ଲିକ ଓ ନୀତିଶ ରଞ୍ଜନ ବିଶ୍ୱାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କ୍ଷେତ୍ରରେ ରାଇଘରର ‘ମା’ ଶ୍ୟାମା ନାଟ୍ୟ ସଂଘ’ ଏବଂ ତୁରୁଡିହିର ‘ଶାନ୍ତି ହରି ଯାତ୍ରା ସଂଘ’କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଏକ ଭବ୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହାକୁ ପତ୍ରିକାର ସହ-ସମ୍ପାଦକ ରାମେନ୍ଦ୍ର ନାଥ ବିଶ୍ୱାସ, ସୀମା ପାଲ ଓ ନମିତା ବିଶ୍ୱାସ ପରିଚାଳନା କରିଥିଲେ। ରାଇଘର, ଉମରକୋଟ, ଜୟପୁର ଓ କଳାହାଣ୍ଡି ଅଞ୍ଚଳରୁ ବହୁ ସଂଖ୍ୟକ କବି ଯୋଗଦେଇ ସ୍ୱରଚିତ ଓଡ଼ିଆ ଓ ବଙ୍ଗଳା କବିତା ପାଠ କରିଥିଲେ।

ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବଡକୁମାରୀ ଗ୍ରାମବାସୀଙ୍କ ସମେତ ରଞ୍ଜିତ ବିଶ୍ୱାସ, ବିମଲ କୁମାର ବାରୋଇ ଓ ହରିଦାସ ହୀରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଉତ୍ସବଟି ଅଞ୍ଚଳରେ ଏକ ନୂତନ ସାହିତ୍ୟିକ ଜାଗରଣ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.