ସମ୍ମିଳିତ ପ୍ରୟାସରେ ସଫଳ କୃଷି ଶୁଭାରମ୍ଭ : ବରଡ଼ିହି ଠାରେ ସେବକ ତରଫରୁ ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ

add-all

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ସରଫଗଡ଼ ଗ୍ରାମ ପଞ୍ଚାୟତର ବରଡିହି ଗ୍ରାମରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ’ ପକ୍ଷରୁ ଏକ ସୁସଂଗଠିତ ଓ ଉତ୍ସାହଭରା ସମ୍ମିଳିତ କୃଷି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ ପାଇଁ ଏହି ଦିନଟି ନୂତନ କୃଷି ବର୍ଷର ଶୁଭାରମ୍ଭ ଭାବେ ପରିଚିତ ଥିବା ସହ, ଏହା ଆଶା, ଶ୍ରଦ୍ଧା ଓ ସମୃଦ୍ଧିର ପ୍ରତୀକ ଭାବେ ଗ୍ରାମୀଣ ଜୀବନରେ ବିଶେଷ ମହତ୍ତ୍ୱ ରଖେ।
ସାଇଁରାମ ପ୍ରୋଡ୍ୟୁସର ଗ୍ରୁପର ସକ୍ରିୟ ଆୟୋଜନ ଏବଂ ସେବକ ଦ୍ଵାରା ପରିଚାଳିତ “କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ” (ଏ.ପି.ସି.), ଲେଫ୍ରିପଡ଼ାର ସମସ୍ତ କର୍ମଚାରୀଙ୍କ ସମ୍ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମଟି ଭକ୍ତିଭାବ ଓ ଉତ୍ସାହର ସହିତ ପାଳନ କରାଯାଇଥିଲା। ଗ୍ରାମର ୪୭ଟି ପରିବାରର କୃଷକମାନେ ଏଥିରେ ସକ୍ରିୟଭାବେ ଅଂଶଗ୍ରହଣ କରିଥିବାରୁ ସମଗ୍ର ପରିବେଶ ଉତ୍ସବମୁଖର ହୋଇଯାଇଥିଲା।
ଏହି ଶୁଭ ଅବସରରେ ଅକ୍ଷି ମୁଠି ଅନୁକୂଳ ନିମନ୍ତେ “ସପୁରି” କିସମର ଧାନ ବୁଣି କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ପୂର୍ବଜମାନଙ୍କର ପାରମ୍ପରିକ ରୀତିନୀତିକୁ ଅନୁସରଣ କରି ପୂଜାପାଠ, ହୋମ ଓ ଧାର୍ମିକ ଆଚାରବିଧି ସମ୍ପନ୍ନ କରାଯାଇଥିଲା। ଏହା ଗ୍ରାମବାସୀଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ଓ ସଂଘଟିତ ଶକ୍ତିର ଅନୁଭବ ସୃଷ୍ଟି କରିଥିଲା। ପୁରାତନ ପରମ୍ପରା ଓ ଆଧୁନିକ କୃଷି ଚେତନାର ଏକ ସୁନ୍ଦର ସମନ୍ୱୟ ଏହି କାର୍ଯ୍ୟକ୍ରମରେ ପ୍ରକାଶ ପାଇଥିଲା।
କେବଳ ପାରମ୍ପରିକ ରୀତିରେ ସୀମିତ ନ ରହି, ଚାଷୀମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତ ବିହନ ବ୍ୟବହାର, ଜଳବାୟୁ-ଉପଯୋଗୀ ଚାଷ ପଦ୍ଧତି ଓ ଉଚ୍ଚ ଉତ୍ପାଦନ ନେଇ ସଚେତନ କରାଯାଇଥିଲା। ସେବକର କର୍ମକର୍ତ୍ତାଙ୍କ ଦ୍ୱାରା କୃଷକମାନଙ୍କୁ ପ୍ରାୟୋଗିକ ଓ ପ୍ରୟୋଗଶୀଳ ଜ୍ଞାନ ଦିଆଯାଇଥିବାରୁ ସେମାନଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ଦେଖାଯାଇଥିଲା।
ଏହା ସହିତ, ଆୟ ବୃଦ୍ଧି ଓ ପୋଷଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚାଷୀମାନଙ୍କୁ ଲାଉ ଓ କଖାରୁ ବିହନ ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ସେମାନେ ମୂଖ୍ୟ ଧାନ ଚାଷ ସହ ସହାୟକ ଫସଲ ଚାଷ କରି ଅତିରିକ୍ତ ଆୟ ଉତ୍ପାଦନ କରିପାରିବେ ବୋଲି ଆଶା କରାଯାଇଛି। ଏହା କୃଷକମାନଙ୍କ ଜୀବିକାରେ ବିବିଧତା ଆଣିବା ସହିତ ତାଙ୍କ ଆର୍ଥିକ ସ୍ଥିରତାକୁ ମଜବୁତ କରିବ।
କାର୍ଯ୍ୟକ୍ରମର ଶେଷ ସେପାନରେ ସମସ୍ତ ଅଂଶଗ୍ରହଣ କାରୀ ଏକତ୍ରିତ ହୋଇ ଭଲ ବର୍ଷା, ସୁସ୍ଥ ଫସଲ ଓ କୃଷକମାନଙ୍କ ସମୃଦ୍ଧ ଜୀବନ ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ। ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସର ଚାଷୀମାନଙ୍କ ମନରେ ନୂତନ ଆଶା, ଉତ୍ସାହ ଓ ଆତ୍ମବିଶ୍ୱାସର ସଞ୍ଚାର କରିଥାଏ। ସମସ୍ତଙ୍କ ମତାନୁସାରେ, ଏହି ଦିନରେ ଆରମ୍ଭ କରାଯାଇଥିବା କୃଷି କାମ ଅକ୍ଷୟ ଫଳ ଦେଇଥାଏ। ଏହା ଆଗାମୀ କ୍ଷେତ୍ରରେ ଭଲ ଉତ୍ପାଦନ ସହ କୃଷକମାନଙ୍କ ଜୀବନରେ ସ୍ଥାୟୀ ସମୃଦ୍ଧି ଆଣିବ ବୋଲି ସମସ୍ତଙ୍କ ଆଶା ଓ ବିଶ୍ୱାସ।

nis-ad
Leave A Reply

Your email address will not be published.