କୋଟପାଡ଼ରେ ବନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି କଲା ଠିକାଦାର ସଂଘ

add-all

କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବନଖଣ୍ଡ ଅଞ୍ଚଳରେ ବନ ବିଭାଗ ପକ୍ଷରୁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିନା କାମରେ ପ୍ରାୟ ୪୦ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରି ବିଭାଗୀୟ କର୍ତ୍ତୃପକ୍ଷ ଟଙ୍କା ଉଠାଇ ନେଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ କୋଟପାଡ଼ ଠିକାଦାର ସଂଘ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛି।

ସୂଚନା ଅନୁଯାୟୀ, କୋଟପାଡ଼ ବ୍ଲକ ଏସବି ନୂଆଗାଁ ପଞ୍ଚାୟତ ଅଧୀନ ଝିଡ଼ିଙ୍ଗିଗୁଡା ଜଙ୍ଗଲ ତଥା କୋଲାବ ଓ ଜାଉରା ନଦୀ ପାର୍ଶ୍ୱବର୍ତ୍ତୀ ପତରାଶାଳ ଜଙ୍ଗଲରେ ଏକ ପାର୍କ ଏବଂ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ସ୍ଥାନୀୟ ଜନପ୍ରତିନିଧିଙ୍କ ଅନୁରୋଧ କ୍ରମେ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ୪୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ବନ ବିଭାଗ ଦ୍ୱାରା ଟେଣ୍ଡର କରାଯାଇଥିଲା। ତେବେ ଉକ୍ତ କାର୍ଯ୍ୟ ପାଇଥିବା ଠିକାଦାର ଅତି ନିମ୍ନମାନର କାମ କରିବା ସହ ଅଳ୍ପ କିଛି କାମ କରି ବିପୁଳ ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଓ ଉକ୍ତ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇ ଏହି ଅର୍ଥ ହରିଲୁଟ୍ ହୋଇଥିବା ଠିକାଦାର ସଂଘ ଅଭିଯୋଗ କରିଛି।

ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ କୋଟପାଡ଼ ଠିକାଦାର ସଂଘ ଗତ ସୋମବାର ଜୟପୁର ଡିଏଫଓ (DFO) ପ୍ରତାପ ଚନ୍ଦ୍ର ବେହେରାଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲା। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ପ୍ରତିଶ୍ରୁତି ଦେଇଥିବା ସଂଘର ସଭାପତି ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ମଙ୍ଗଳବାର ଦିନ ସଂଘର ସଦସ୍ୟମାନେ କୋଟପାଡ଼ ବନ ବିଭାଗ କାର୍ଯ୍ୟାଳୟକୁ ଯାଇ ମିଥ୍ୟା ବିଲ୍ ପ୍ରସଙ୍ଗରେ ରେଞ୍ଜରଙ୍କୁ ଏକ ସ୍ମାରକପତ୍ର ଦେବାକୁ ପ୍ରୟାସ କରିଥିଲେ। ମାତ୍ର ରେଞ୍ଜର ଏହାକୁ ଗ୍ରହଣ ନକରି କାର୍ଯ୍ୟାଳୟ ବାହାରକୁ ଚାଲିଯାଇଥିଲେ ବୋଲି ସଂଘ ଅଭିଯୋଗ କରିଛି। ଯଦି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଭିଜିଲାନ୍ସର ଆଶ୍ରୟ ନିଆଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ କୋଟପାଡ଼ ରେଞ୍ଜର ବିଦ୍ୟୁତ ବିଶ୍ୱାସଙ୍କ ପ୍ରତିକ୍ରିୟା ଲୋଡିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉକ୍ତ ପ୍ରକଳ୍ପ ଆକାଉଣ୍ଟରୁ ଗୋଟିଏ ଟଙ୍କା ମଧ୍ୟ ଉଠାଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

କୋଟପାଡ଼ ବନଖଣ୍ଡରେ ଏବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏଭଳି ସାଂଘାତିକ ଦୁର୍ନୀତି ଅଭିଯୋଗ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏବେ ଦେଖିବାକୁ ବାକି ରହିଲା, ଉପରିସ୍ଥ କର୍ତ୍ତୃପକ୍ଷ ଏହି ଘଟଣାକୁ କେତେ ଗୁରୁତ୍ୱର ସହ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରୁଛନ୍ତି।

nis-ad
Leave A Reply

Your email address will not be published.