
ଗୋପାଳପୁର : ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଜର ବୈଷୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ କୋର୍ ଡିପ୍ଲୋମା କରୁଥିବା ପିଲାଙ୍କ ପାଇଁ ସଂସ୍ଥା ପକ୍ଷରୁ ୧ଲକ୍ଷ ୨୦ ହଜାର ଟଙ୍କାର ସବ୍ସିଡି ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ଶିକ୍ଷାର୍ଥୀଙ୍କୁ ଡିପ୍ଲୋମା ପାଠ୍ୟକ୍ରମ ଅବଧି ମଧ୍ୟରେ ସେମିଷ୍ଟର ପିଛା ୨୦ ହଜାର ଟଙ୍କା ହିସାବରେ ୧ଲକ୍ଷ ୨୦ ହଜାର ଟଙ୍କା ପଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ଏହି ସବସିଡି ଦ୍ୱାରା ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ଜେ ଏନ୍ ଟାଟା ବୈଷୟିକ ଶିକ୍ଷା କେନ୍ଦ୍ର (ଜେଏନ୍ଟିଟିଇସି)ର ଛାତ୍ରଛାତ୍ରୀମାନେ ଉପକୃତ ହେବେ।
ଜାମସେଦପୁର ଗୋଲମୁରୀ ସ୍ଥିତ ଆର ଡି ଟାଟା ବୈଷୟିକ ଶିକ୍ଷା କେନ୍ଦ୍ର (ଆର୍ଡିଟିଟିଇସି) ଏବଂ ବର୍ମାମାଇନ୍ସ ସ୍ଥିତ ଟାଟା ଷ୍ଟିଲ୍ ବୈଷୟିକ ପ୍ରତିଷ୍ଠାନ (ଟିଏସ୍ଟିଆଇ)ର ଛାତ୍ରଛାତ୍ରୀ ମଧ୍ୟ ଏହି ସବ୍ସିଡି ଦ୍ୱାରା ଉପକୃତ ହେବେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଅତ୍ୟାଧୁନିକ ପ୍ରଶିକ୍ଷଣ ସୁବିଧା, ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଶିଳ୍ପ-ଭିତ୍ତିକ ବୈଷୟିକ ଶିକ୍ଷା ପ୍ରଦାନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଏହି ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦକ୍ଷତା ବିକାଶ ବିଭାଗ ମୁଖ୍ୟ କ୍ୟାପଟେନ ଅମିତାଭ କହିଛନ୍ତି, ଯୁବପିଢ଼ିଙ୍କୁ ଗୁଣାତ୍ମକ ବୈଷୟିକ ତଥା ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଛାତ୍ରଛାତ୍ରୀଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ସହ ଉନ୍ନତ ବୈଷୟିକ ଶିକ୍ଷାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ସବ୍ସିଡି ଆରମ୍ଭ କରାଯାଇଛି। ନେଟୁର ଟେକ୍ନିକାଲ ଟ୍ରେନିଂ ଫାଉଣ୍ଡେସନ (ଏନ୍ଟିଟିଏଫ୍) ସହଭାଗିତାରେ ଏହା କାର୍ଯ୍ୟକାରୀ କରାଯାଇଛି, ଯାହାଫଳରେ ଶିକ୍ଷାର୍ଥୀଙ୍କୁ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଗୋପାଳପୁରସ୍ଥିତ ଜେ ଏନ୍ ଟାଟା ବୈଷୟିକ ଶିକ୍ଷାକେନ୍ଦ୍ରରେ ‘ଡିପ୍ଲୋମା ଇନ୍ ମେକାଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ସ୍ମାର୍ଟ ଫ୍ୟାକ୍ଟ୍ରି-ସିପି୧୫’ ପାଠ୍ୟକ୍ରମ ଉପଲବ୍ଧ ଅଛି। ଏହା ମେକାନିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ, ଅଟୋମେସନ ଏବଂ ଡିଜିଟାଲ ମ୍ୟାନୁଫ୍ୟାକ୍ଚରିଂ ଟେକ୍ନୋଲୋଜିର ଏକ ସମନ୍ୱିତ ପାଠ୍ୟକ୍ରମ। ଏଠାରେ ପ୍ରାକ୍ଟିକାଲ ଶିକ୍ଷା, ପ୍ରୋଜେକ୍ଟ-ଭିତ୍ତିକ ପ୍ରଶିକ୍ଷଣ ଏବଂ ଶିଳ୍ପ କ୍ଷେତ୍ରର ପ୍ରତ୍ୟକ୍ଷ ଅଭିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଉଛି, ଯାହା ଶିକ୍ଷାର୍ଥୀମାନଙ୍କୁ ଆଧୁନିକ ମ୍ୟାନୁଫ୍ୟାକ୍ଚରିଂ ଏବଂ ଅଟୋମେସନ କ୍ଷେତ୍ର ପାଇଁ ପ୍ରସ୍ତୁତ କରୁଛି।
ସ୍ମାର୍ଟ କ୍ଲାସରୁମ୍, ଉନ୍ନତ ପରୀକ୍ଷାଗାର, କର୍ମଶାଳା ଏବଂ ଡିଜିଟାଲ ଶିକ୍ଷା ସମ୍ବଳ ମାଧ୍ୟମରେ ଏହି ଅନୁଷ୍ଠାନ ଅନେକ ଶିକ୍ଷାର୍ଥୀଙ୍କୁ ଦେଶର ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ଦେବାରେ ସଫଳ ହୋଇଛି। ଏହି ସବ୍ସିଡି ଘୋଷଣା ମାଧ୍ୟମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଜର ପ୍ରୟାସକୁ ଆହୁରି ସଶକ୍ତ କରିବା ସହ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି।
