
ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭୁତତ୍ତ୍ୱ ବିଭାଗ ପକ୍ଷରୁ “ଭୁ-ବିଜ୍ଞାନର ଆଦ୍ୟତନ ଧାରା” (Recent Trends in Geosciences) ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ପାଠଚକ୍ର ରବିବାର ଦିନ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁଙ୍କ ପ୍ରେରଣା ଓ ପୃଷ୍ଠାପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା।
ଉଦଘାଟନୀ ଅଧିବେଶନରେ ଭୁତତ୍ତ୍ୱ ବିଭାଗ ମୁଖ୍ୟ ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ପାଠଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଭୁ-ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଡ. ରଜତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଭୁ-ବିଜ୍ଞାନୀ ତଥା ଜ୍ୟୋତିର୍ବିଦ ଡ. ମାୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ଭୁତତ୍ତ୍ୱ ବିଭାଗର ଗୌରବମୟ ଇତିହାସ ସମ୍ପର୍କରେ ବଖାଣିଥିଲେ।
ସମ୍ମାନିତ ଅତିଥି ଭାବେ ଆଦିକବି ନାନ୍ନୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଏମ. ଜଗନ୍ନାଧା ରାଓ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ଯୋଗାଯୋଗ ଦକ୍ଷତା ଓ ନିଷ୍ଠାପରତା ସହ ସଫଳତା ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ IMMT ଭୁବନେଶ୍ୱରର ପ୍ରାକ୍ତନ ମୁଖ୍ୟ ବୈଜ୍ଞାନିକ ଡ. ଡି. ଶ୍ରୀନିବାସ ରାଓ ଭୁତତ୍ତ୍ୱ ବିଜ୍ଞାନ କ୍ଷେତ୍ରରେ ହେଉଥିବା ଅତ୍ୟାଧୁନିକ ଗବେଷଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଅସୀମା ସାହୁ ଭୁତତ୍ତ୍ୱ ଗବେଷଣା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (AI)ର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପାଠଚକ୍ରର ସ୍ମରଣିକା ତଥା ପ୍ରବନ୍ଧ ସଂକଳନ “Recent Trends in Geosciences” ଉନ୍ମୋଚିତ ହୋଇଥିଲା। ସମ୍ମାନିତ ଅତିଥି ପ୍ରଫେସର ରାଓ ନିଜର କୃତି ଓ କୃତିତ୍ୱ ଆଧାରିତ ଏକ ପୁସ୍ତକ କୁଳପତିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଅଧିବେଶନ ଶେଷରେ ଡ. ମନୀଷା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦଘାଟନୀ ସଭା ପରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରଫେସରମାନେ ନିଜର ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଆସନ୍ତାକାଲି ଉଦଯାପନୀ ଉତ୍ସବରେ ଅନେକ ଗବେଷକ ଯୋଗଦେଇ ପ୍ରବନ୍ଧ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
