କୋରାପୁଟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ: ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଶିଷ୍ଟ ଅତିଥି

add-all

କୋରାପୁଟ : ଆଧୁନିକ ଓଡ଼ିଶାର ନିର୍ମାତା, ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି କୋରାପୁଟ ସହରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପାର୍କରେ ସ୍ଥାପିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପଜିଲ୍ଲାପାଳ ପ୍ରେମ ଲାଲ ହିଆଲ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ମହାନତା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।

ସଭାରେ ଉପସ୍ଥିତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ମଧୁବାବୁଙ୍କ ଜୀବନୀ ଓ ଓଡ଼ିଶା ଗଠନରେ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବା ସହ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶିଳ୍ପର ବିକାଶ ପାଇଁ ସେ କରିଥିବା ଅଦମ୍ୟ ପ୍ରଚେଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତାଙ୍କର ‘ସ୍ୱାଭିମାନୀ ଓଡ଼ିଆ’ର ଆହ୍ୱାନ ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବହନ କରିଛି।

ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଯୋଗଦେଇ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂକଳ୍ପ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା।

ad-week
Leave A Reply

Your email address will not be published.