ଜାତୀୟ ରାଜପଥରେ ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ମୁଦୁରାଙ୍ଗ ନିକଟରୁ ଆଜି ଏକ ଗୋରୁ ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଗାଡ଼ିରୁ ପ୍ରାୟ ୧୮ଟି ବଳଦ ଓ ଗାଈଙ୍କୁ ଅତି ଅମାନୁଷିକ ଭାବେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ମୁଦୁରାଙ୍ଗ ନିକଟ ରାସ୍ତା କଡ଼ରେ ଏକ ଆଇଚର କଣ୍ଟେନର RJ29 GB 3341 ଛିଡ଼ା ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଯାଞ୍ଚ କରିବା ପରେ ସେଥିରେ ଗୋରୁ ବୋଝେଇ ହୋଇଥିବା ଜଣାପଡ଼ିଥିଲା। ଗାଡ଼ିଟି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ଅଟକି ଯାଇଥିବାରୁ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। କଣ୍ଟେନର ଭିତରେ ଗୋରୁମାନଙ୍କ ଗୋଡ଼ ଓ ବେକକୁ ରସିରେ ବାନ୍ଧି ଅତ୍ୟନ୍ତ କଷ୍ଟଦାୟକ ଭାବେ ରଖାଯାଇଥିବା ବେଳେ, କିଛି ଗୋରୁ ବାହାରକୁ ବାହାରି ଆସିଥିଲେ।
ଏ ନେଇ ସ୍ଥାନୀୟ ଲୋକେ ତୁରନ୍ତ ନୂଆଗାଁ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ୧୮ଟି ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଜନସାଧାରଣଙ୍କ ଜିମା ଦେଇଛି। ପ୍ରାଥମିକ ତଦନ୍ତରୁ ଜବତ ଗାଡ଼ିଟି ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି। ନୂଆଗାଁ ପୋଲିସ ଏହି ଘଟଣାରେ କେଶ ନମ୍ବର ୯୧/୨୬ରେ ମାମଲାରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.