
ବ୍ରହ୍ମପୁର: ଶାସ୍ତ୍ରୀୟ ସଙ୍ଗୀତାନୁଷ୍ଠାନ “ଉଡ୍ର ସଙ୍ଗୀତ ପରିଷଦ” ପକ୍ଷରୁ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ ‘ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ରାଗ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ନିମନ୍ତେ ପୁଣିଥରେ ସ୍ୱର ଉତ୍ତୋଳନ କରାଯାଇଛି।
ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସଙ୍ଗୀତଜ୍ଞ ଆଚାର୍ଯ୍ୟ ସିମାଞ୍ଚଳ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ପ୍ରାକ୍ତନ ସଙ୍ଗୀତ ନାଟକ ଏକାଡେମୀ ସଚିବ ତଥା ବରିଷ୍ଠ କଣ୍ଠଶିଳ୍ପୀ ଡଃ. ସୁଧା ମିଶ୍ର ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାରସ୍ୱତ ସାଧକ ପ୍ରାଧ୍ୟାପକ ଡଃ. କୁଳମଣି ଓଝା, ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ପ୍ରଣତି ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଭଞ୍ଜ ସାହିତ୍ୟ ଗବେଷକ କାମରାଜୁ ସାହାଣୀ ଯୋଗଦେଇଥିଲେ। ଅତିଥିମାନେ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା, ଉଚ୍ଚାଙ୍ଗ ଗାୟନ ପରମ୍ପରା ଓ ମୌଳିକତା ଉପରେ ବିଷଦ ଆଲୋଚନା କରିବା ସହ ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ଭାରତ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।
ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଡଃ. ସୁଧା ମିଶ୍ର, ଗୁରୁ ଶତ୍ରୁଘ୍ନ ନାୟକ, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ସାଂସ୍କୃତିକ ସଂଗଠକ ସୁବାସ ଚନ୍ଦ୍ର ସାହୁ (ରୋଶନ୍), କଣ୍ଠଶିଳ୍ପୀ ସ୍ମିତା ସିହ୍ନା, ସୀତାର ବାଦକ ଗୁରୁ ସତ୍ୟନାରାୟଣ ଗୁରୁ ଏବଂ ଓଡ଼ିଶୀ ସଙ୍ଗୀତ ଗବେଷକ ପ୍ରତୀକ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ସମ୍ପାଦକ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସ୍ୱାଗତ ଭାଷଣ ଓ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।
ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଡଃ. ସୁଧା ମିଶ୍ର, ସ୍ମିତା ସିହ୍ନା (ପାଟନା), ଉମାଶଙ୍କର ଦାଶ, ରବି ନାରାୟଣ ଦାଶ, ଅଶୋକ ମହାପାତ୍ରଙ୍କ ସମେତ ଅନେକ କଳାକାର ଓଡ଼ିଶୀ ଛାନ୍ଦ, ଚମ୍ପୂ ଓ ଗୀତଗୋବିନ୍ଦ ଗାନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏଥିସହିତ ଗୁରୁ ଶେଖର ସୁମନ ମାଝିଙ୍କ ଶିଷ୍ୟାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଡଃ. ନୃସିଂହ ଚରଣ ପ୍ରଧାନ, ସୁନିତା ତ୍ରିପାଠୀ ଓ ପ୍ରଣତି ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର ଦିଗରେ ଏହି ମହୋତ୍ସବ ଅତ୍ୟନ୍ତ ଉପାଦେୟ ଓ ସଫଳ ହୋଇଥିବା ପରିଲକ୍ଷିତ ହୋଇଛି।
