
ମାଲକାନଗିରି : ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ରର ଭାଜପା ସରକାର ଅନେକ ଐତିହାସିକ ପଦକ୍ଷେପ ନେଉଥିବା ବେଳେ, କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏହାକୁ ବିରୋଧ କରି ନାରୀଶକ୍ତିର ସ୍ୱପ୍ନକୁ ଚୁରମାର କରୁଛନ୍ତି। ଏହି ମର୍ମରେ ଆଜି ମାଲକାନଗିରି ବିଧାୟକଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୋନ୍ତୋଷିନି ପାତ୍ର ବିରୋଧୀଙ୍କ ଉପରେ ବର୍ଷି କହିଛନ୍ତି ଯେ, ସମ୍ବିଧାନର ୮୧ତମ ସଂଶୋଧନ (ମହିଳା ସଂରକ୍ଷଣ) କୁ ଲୋକସଭାରେ ପରାଜିତ କରି ବିରୋଧୀ ଦଳ ଯେଉଁ ଉତ୍ସବ ପାଳନ କରିଥିଲେ, ତାହା ଦେଶର ମହିଳାଙ୍କ ପ୍ରତି ଏକ ଅପମାନ। ଏହା ବିରୋଧୀଙ୍କ ଅହଂକାରକୁ ଦର୍ଶାଉଛି ଏବଂ ଆଗାମୀ ଦିନରେ ଦେଶର ନାରୀଶକ୍ତି ଭୋଟ୍ ମାଧ୍ୟମରେ ଏହାର ଉଚିତ୍ ଜବାବ ଦେବେ।
ଐତିହାସିକ ପଦକ୍ଷେପକୁ ବିରୋଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ମହିଳା ସଂରକ୍ଷଣ ପାଇଁ ଆଣିଥିବା ବିଲକୁ ବିରୋଧ କରି କଂଗ୍ରେସ, ବାମପନ୍ଥୀ ଦଳ ଏବଂ ଓଡ଼ିଶାର ବିଜୁ ଜନତା ଦଳ ନିଜକୁ ‘ମହିଳା ବିରୋଧୀ’ ଭାବେ ପ୍ରମାଣିତ କରିଛନ୍ତି।
ବିଶ୍ୱାସଘାତକତା: ବିରୋଧୀ ଦଳଗୁଡ଼ିକ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ବିରୋଧ କରି ସମଗ୍ର ମାତୃଶକ୍ତି ସହ ବିଶ୍ୱାସଘାତକତା କରିଥିବା ଶ୍ରୀମତୀ ପାତ୍ର ଅଭିଯୋଗ କରିଛନ୍ତି।
ମୋଦିଙ୍କ ଉପରେ ଭରସା: ସାରା ବିଶ୍ୱ ଆଜି ଭାରତର ମହିଳା ସଶକ୍ତିକରଣର ଚିତ୍ର ଦେଖୁଛି ଏବଂ ଦେଶର ମହିଳାମାନଙ୍କ ସମ୍ପୂର୍ଣ୍ଣ ଭରସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିଛି।
ଏହି ସମ୍ମିଳନୀରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସାବିତ୍ରୀ ପୋଡ଼ିଆମି ଏବଂ ଭାଜପା ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ବେନି କାର୍ତୁଲ ପ୍ରମୁଖ ଉପସ୍ଥିତ ରହି ବିରୋଧୀଙ୍କ ଷଡ଼ଯନ୍ତ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମହିଳା ବିରୋଧୀ ମନୋଭାବ ପାଇଁ ବିରୋଧୀ ଦଳଙ୍କୁ ଆଗାମୀ ନିର୍ବାଚନରେ ମହିଳାମାନେ ଉଚିତ୍ ଶିକ୍ଷା ଦେବେ ବୋଲି ସମ୍ମିଳନୀରେ ଚେତାବନୀ ଦିଆଯାଇଛି।
