ସରକାରୀ ଜମିକୁ ମାଡ଼ି ବସୁଛନ୍ତି ଭୂ-ମାଫିଆ : ଲ୍ୟାମ୍ପସ ଓ ଆରଏମସି ପାଇଁ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ଅଭିଯୋଗ

add-all

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି ରାଜସ୍ୱ ଅଞ୍ଚଳରେ ସରକାରୀ ଜମି ଅତିକ୍ରମଣ ଏବଂ ଏହାର ବେଆଇନ କାରବାର ଏବେ ଚରମ ସୀମାରେ ପହଞ୍ଚିଛି। ଅସାଧୁ ଭୂ-ମାଫିଆମାନେ ସରକାରୀ ଜମିକୁ ନିଜ କବଜାକୁ ନେଇ ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଚାନ୍ଦିଲି ଗ୍ରାମବାସୀ ଏହାକୁ ବାରମ୍ବାର ବିରୋଧ କରୁଥିଲେ ସୁଦ୍ଧା ମାଫିଆମାନେ କୌଣସି ନିୟମକୁ ଖାତିର ନକରି ଜବରଦଖଲ ଜାରି ରଖିଛନ୍ତି।

ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବସ୍ତର ଜିଲ୍ଲା ନଗରନାରଠାରେ ଏନଏମଡିସି (NMDC) ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ହେବା ପରେ ଏହି ସୀମାନ୍ତ ଅଞ୍ଚଳରେ ଜମିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ଭୂ-ମାଫିଆମାନେ ସରକାରୀ ତଥା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ବିଶେଷ କରି ବାହାର ରାଜ୍ୟର ଲୋକେ ଆସି ଏହି ସରକାରୀ ଜମିରେ ବେଆଇନ ଭାବେ ଘରଦ୍ୱାର ନିର୍ମାଣ କରୁଥିବା ବେଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ନୀରବତା ଏବେ ସନ୍ଦେହର ଘେରକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, କୋଟପାଡ଼ ତହସିଲର ଦେୱଡା ମୌଜାରେ ଥିବା ପତିତ ଜମି (ଖାତା ନମ୍ବର ୨୨୩, ପ୍ଲଟ ନମ୍ବର ୧୩୪) ର ମୋଟ ୮ ଏକର ୭୫ ସେଣ୍ଟ ମଧ୍ୟରୁ ଚାନ୍ଦିଲି ପଞ୍ଚାୟତର ଲ୍ୟାମ୍ପସ (LAMPS) କୋଠା ପାଇଁ ୨.୩୫ ଏକର ଏବଂ ଆରଏମସି (RMC) କୋଠା ନିର୍ମାଣ ପାଇଁ ୨.୩୫ ଏକର ଜମି ପ୍ରଦାନ କରାଯାଇଥିଲା। ମାତ୍ର ଦୁଃଖର ବିଷୟ, ବର୍ତ୍ତମାନ ଏହି ଜମି ଉପରେ ବ୍ୟାପକ ଅତିକ୍ରମଣ ଚାଲିଛି। ସରକାରୀ ଉଦ୍ଦେଶ୍ୟରେ ରଖାଯାଇଥିବା ଏହି ଜମିକୁ ମାଫିଆମାନେ ହଡ଼ପ କରୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ ବିଭାଗ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.