
ଭୁବନେଶ୍ୱର/ରାୟଗଡ଼ା : ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ରାଜ୍ୟ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପର୍ଯ୍ୟାୟରେ ଓଡ଼ିଶାର ୮ଟି ଜିଲ୍ଲା ଯଥା କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହା ମାଧ୍ୟମରେ ୮୯୮ଟି ଗ୍ରାମକୁ ସଂଯୋଗ କରୁଥିବା ୧୭୦୨ କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂତନ ପକ୍କା ରାସ୍ତା ନିର୍ମାଣ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଅଭିଭାଷଣରେ ଗ୍ରାମାଞ୍ଚଳର ବିକାଶକୁ ସମୃଦ୍ଧ ଓଡ଼ିଶାର ମେରୁଦଣ୍ଡ ଭାବେ ବର୍ଣ୍ଣନା କରିଛନ୍ତି। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନାକୁ ଆଗକୁ ନେବା ସହ ସେ ରାଜ୍ୟରେ ‘Mission POWAR’ (Power-Water-Road) ଅଭିଯାନର ଘୋଷଣା କରିଛନ୍ତି। ଏହି ମିଶନ ଜରିଆରେ ୫୦ରୁ ଅଧିକ ଜନସଂଖ୍ୟା ଥିବା କ୍ଷୁଦ୍ର ପଡ଼ାଗ୍ରାମଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ୯,୭୦୦ କିଲୋମିଟର ନୂତନ ରାସ୍ତା ଓ ୩୫୦ଟି ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାୟଗଡ଼ ଓ ମାଲକାନଗିରି ଭଳି ଦୁର୍ଗମ ଜିଲ୍ଲାକୁ ସ୍ୱତନ୍ତ୍ର ପ୍ରାଥମିକତା ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ପାଇଁ ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ୧୦୪.୫୬ କୋଟି ଟଙ୍କାର ୧୩ଟି ନୂତନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଦୋହରାଇବା ସହ ବଡ଼ ଧରଣର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୬୩୦ କୋଟି ଏବଂ କୃଷି ସିଞ୍ଚାଇ ଯୋଜନା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଓଡ଼ିଶାର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ କେନ୍ଦ୍ରୀୟ ବୈଜ୍ଞାନିକ ଦଳ ପଠାଯିବ ଏବଂ ଓଡ଼ିଶାର ଗ୍ରାମଗୁଡ଼ିକୁ ‘ସିଡ୍ ଭିଲେଜ୍’ ବା ବିହନ ଗ୍ରାମ ଭାବେ ଗଢ଼ି ତୋଳାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ରହି ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଦୋହରାଇଥିଲେ। ସଡ଼କ ନିର୍ମାଣରେ ସ୍ୱଚ୍ଛତା ପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଓ ପୁରୁଣା ରାସ୍ତା ମରାମତି ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।
