୨୦୦୦ ପଞ୍ଚାୟତରେ ଗର୍ଜିଲେ କେନ୍ଦୁପତ୍ର ଶ୍ରମିକ: ସରକାରଙ୍କ ଅବହେଳା ବିରୋଧରେ ଲକ୍ଷାଧିକ ତୋଳାଳୀଙ୍କ ଗଣଧାରଣା

add-all

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ପ୍ରତି ସରକାରଙ୍କ କ୍ରମାଗତ ଅବହେଳା ଏବଂ ପ୍ରତାରଣା ବିରୋଧରେ ଆଜି ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜଳିଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ରାଜ୍ୟର ପ୍ରାୟ ୨୦୦୦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲକ୍ଷାଧିକ ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ଏକତ୍ରିତ ହୋଇ ଗଣଧାରଣା ଦେଇଛନ୍ତି। କଳା ବ୍ୟାଜ୍ ପରିଧାନ କରି ଶ୍ରମିକମାନେ ନିଜର ଆକ୍ରୋଶ ପ୍ରକାଶ କରିବା ସହ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହଜାର ହଜାର ଦସ୍ତଖତ ସମ୍ବଳିତ ଏକ ଚରମ ଦାବିପତ୍ର ପ୍ରଦାନ କରିଛନ୍ତି।

ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ମଇ ୧ ତାରିଖ ଆନ୍ତର୍ଜାତିକ ଶ୍ରମିକ ଦିବସରେ ପ୍ରତିବାଦର ଶୁଭାରମ୍ଭ ହୋଇଥିବା ବେଳେ ଆଜି ମଇ ୨ ତାରିଖରେ ଏହା ଏକ ବିରାଟ ଗଣ ଆନ୍ଦୋଳନର ରୂପ ନେଇଛି। ସକାଳ ୯ଟାରୁ ହଜାର ହଜାର ଶ୍ରମିକ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ସରକାର ବିରୋଧୀ ସ୍ଲୋଗାନରେ ପରିବେଶକୁ ପ୍ରକମ୍ପିତ କରିଥିଲେ। ଏହି ସ୍ୱତଃସ୍ଫୂର୍ତ୍ତ ଆନ୍ଦୋଳନରେ ଅନେକ ସ୍ଥାନରେ ଦଳମତ ନିର୍ବିଶେଷରେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟମାନେ ମଧ୍ୟ ସାମିଲ ହୋଇ ଶ୍ରମିକଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି।

ବିଭିନ୍ନ ସଭାରେ ଉଦବୋଧନ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦୁପତ୍ର ସଂଗ୍ରହ ସମୟ ଅଧାରୁ ଅଧିକ ଅତିବାହିତ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେଏଲଡିବି (KLDB) ବୈଠକ ବସିନାହିଁ। ଦୀର୍ଘ ୨ ବର୍ଷ ହେଲା କେନ୍ଦୁପତ୍ର ‘କେରି’ ଦର ବୃଦ୍ଧି କରାଯାଇ ନାହିଁ କିମ୍ବା ଶ୍ରମିକମାନଙ୍କ ବୋନସ ଓ ମାସିକ ମଜୁରୀ ବୃଦ୍ଧି ନେଇ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସରକାର ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରି ଲକ୍ଷ ଲକ୍ଷ ଗରିବ ଶ୍ରମିକଙ୍କୁ ପ୍ରତାରିତ କରିଛନ୍ତି। ଯଦି ସରକାର ତୁରନ୍ତ ଏହି ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଅଧିକ ଭୟଙ୍କର ରୂପ ନେବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଏହି ଆନ୍ଦୋଳନକୁ ସଂଘର ବରିଷ୍ଠ ଉପସଭାପତି ଗୋକୁଳ ମେହେର, ସାଧାରଣ ସମ୍ପାଦକ ସଂଜିତ ମହାନ୍ତି, ସରୋଜ କର୍ଣ୍ଣ, ବିନୋଦ ପ୍ରଧାନ, ମହମ୍ମଦ ମୂର୍ତ୍ତୁଯା, ପଦ୍ମାବତୀ କିସାନ ଏବଂ ବିଭିନ୍ନ ଡିଭିଜନର ସମ୍ପାଦକ ଯଥା- ଶିବାନନ୍ଦ ପରିଚ୍ଛା (ପାଟଣାଗଡ଼), ବିଜୟ ପଟ୍ଟନାୟକ, ରାମ ମାଢ଼ି (ଜୟପୁର/ମାଲକାନଗିରି), ପ୍ରହଲ୍ଲାଦ ପରିଡ଼ା, ମନୋଜ ସାହୁ, ସଞ୍ଜୟ ଚୌଧୁରୀ (କେନ୍ଦୁଝର), ରତ୍ନାକର ପ୍ରଧାନ (ଅନୁଗୁଳ), ପ୍ରଦୀପ ସାହୁ (ଝାରସୁଗୁଡ଼ା), କିଶୋର ପ୍ରଧାନ (ରେଢ଼ାଖୋଲ), ଶ୍ରୀକାନ୍ତ ମିଶ୍ର (ବୌଦ୍ଧ), ସୋଭରାମ ପ୍ରଧାନ (ରାଉରକେଲା), କୀର୍ତ୍ତନ ସେନାପତି (କୁଚିଣ୍ଡା), ଭୁପେନ୍ଦ୍ର ନାୟକ (ଦେବଗଡ଼), ଭାଗିରଥି ବିଶୋଇ (ନବରଙ୍ଗପୁର), ଲକ୍ଷ୍ମଣ ସାହୁ (ଫୁଲବାଣୀ), ରାଜୁ ମେହେର (ବଲାଙ୍ଗୀର), ରାଜୁ ବିଶି (ଟିଟିଲାଗଡ) ପ୍ରମୁଖ ବିଭିନ୍ନ ଜିଲ୍ଲା ଓ ଡିଭିଜନରେ ନେତୃତ୍ୱ ନେଇଥିଲେ।

nis-ad
Leave A Reply

Your email address will not be published.