ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଓ ଇମ୍ଫା ଦ୍ୱାରା ‘ଗୋଷ୍ଠୀ ଶିକ୍ଷା କେନ୍ଦ୍ର’ ଉଦ୍‌ଘାଟିତ ନାରୀ ଶିକ୍ଷା ଓ ସଶକ୍ତିକରଣ ପାଇଁ ନୂତନ ପଦକ୍ଷେପ

add-all

ରାୟଗଡ଼ା : ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଓ ଇମ୍ଫା ର ଯୁଗଳ ପ୍ରୟାସରେ ‘ଗୋଷ୍ଠୀ ଶିକ୍ଷା କେନ୍ଦ୍ର’ ଉଦ୍‌ଘାଟନ କରାଯାଇଥିଲା। ଏହା ମାଧ୍ୟମରେ ୧୧ ମାସିଆ ଏକ ସଂଗଠିତ ଶିକ୍ଷା କାର୍ଯ୍ୟକ୍ରମର ଆରମ୍ଭ ହୋଇଛି, ଯାହା ଶିକ୍ଷାରୁ ବଞ୍ଚିତ କିଶୋରୀ ଓ ମହିଳାମାନଙ୍କୁ ପୁନଃ ମୁଖ୍ୟ ଧାରାରେ ଆଣିବା ସହ ତାଙ୍କୁ କାର୍ଯ୍ୟମୂଖୀ ସାକ୍ଷରତା ଓ ଜୀବନ କୌଶଳରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ରାୟଗଡ଼ା ଜିଲ୍ଲାର ପାଇକାପଡା (କେଳିଗୁଡା), ଥେରୁବାଲି, ଗେରାପୁଟ (କର୍ତ୍ତିକାଗୁଡା), ପିଣ୍ଡାପଦର (ବଡ଼ ଖିଳାପଡ଼ା) ଓ ଅନୁଗୁଡା (କର୍ତ୍ତିକାଗୁଡା) ଏହି ପ୍ରୟାସରେ ୪ଟି ଗ୍ରାମ ପଞ୍ଚାୟତ ଅଧୀନର ୬ଟି ଗ୍ରାମରୁ ମୋଟ ୧୮୦ ଜଣ ନିମନ୍ତେ ଶିକ୍ଷା ର ପ୍ରୟାସ ଜାରି ରଖା ଯଇଛି | ଉଦ୍‌ଘାଟନ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଳନରା ଶ୍ରୀମତୀ ରୀନା ପ୍ରଧାନ, ଶ୍ରୀ ଜି.ଭି. ରାକେଶ, ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି , ଇମ୍ଫା; ଏବଂ ଶ୍ରୀ କ୍ଷିତିଶ ଚନ୍ଦ୍ର ମହାପାତ୍ର, ଉପ ମହାପ୍ରବନ୍ଧକ, ମାନବ ସମ୍ଭଳ ଓ ପ୍ରଶାସନ ଉପସ୍ଥିତ ଥିଲେ। ଶ୍ରୀମତୀ ରୀନା ପ୍ରଧାନ ତାଙ୍କ ଉଦ୍‌ବୋଧନରେ ସେ କହିଥିଲେ ଯେ ଶିକ୍ଷା ପାଇଁ ବୟସ୍ କୌଣସି ବାଧା ନୁହେଁ ଏବଂ ଦୈନନ୍ଦିନ ଜୀବନରେ ଶିକ୍ଷା ଅତ୍ୟାବଶ୍ୟକ। ସେ ଏହି ଉତ୍ତମ ପ୍ରୟାସ ପାଇଁ ଇମ୍ଫା ଓ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍‌ଙ୍କୁ ପ୍ରଶଂସା କରିଥିଲେ।
ଶ୍ରୀ ଜି.ଭି. ରାକେଶ ତାଙ୍କ ଭାବବିହ୍ୱଳ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷା କେବଳ ଏକ ଆବଶ୍ୟକତା ନୁହେଁ, ଏହା ଜୀବନର ପ୍ରତ୍ୟେକ ପଥକୁ ଖୋଲିଦେବା ଏକ ପରିବର୍ତ୍ତନଶୀଳ ଶକ୍ତି। ଜଣେ ମା ଶିକ୍ଷିତ ହେଲେ ସେ ପରିବାରର ଆଲୋକରେ ପରିଣତ ହୁଅନ୍ତି—ସ୍ୱପ୍ନକୁ ପୋଷଣ କରନ୍ତି, ଭବିଷ୍ୟତ ଗଢ଼ନ୍ତି ଏବଂ ଅଜ୍ଞାନତାର ଶୃଙ୍ଖଳାକୁ ଭଙ୍ଗ କରନ୍ତି। “ଜଣେ ଶିକ୍ଷିତ ମା ଏକ ସଶକ୍ତ ପରିବାର ଗଢ଼ନ୍ତି ଏବଂ ସେହି ସଶକ୍ତ ପରିବାରମାନେ ମିଶି ଏକ ପ୍ରଗତିଶୀଳ, ସଚେତନ ଓ ଶକ୍ତିଶାଳୀ ସମାଜର ଭିତ୍ତି ସୃଷ୍ଟି କରନ୍ତି।”
ଏହି ଅବସରରେ ଶ୍ରୀ ଜି.ଭି. ରାକେଶ ଓ ଶ୍ରୀ କ୍ଷିତିଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମସ୍ତ ଭର୍ତ୍ତି ହୋଇଥିବା ହିତାଧିକାରୀ ମାନଙ୍କୁ ପାଠ୍ୟ ସାମଗ୍ରୀ କିଟ୍ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ କିଟ୍‌ରେ ୩ଟି ପୁସ୍ତକ, ୧ଟି ସ୍ଲେଟ୍, ଏକ ପେନ୍ସିଲ୍ ବକ୍ସ ଓ ଚକ୍ ଥିଲା, ଯାହା ତାଙ୍କର ଶିକ୍ଷା କ୍ଷେତ୍ର କୁ ସହାୟତା କରିବ।
ଏହି ପ୍ରୟାସ ମାଧ୍ୟମରେ ଲାହିତାଧିକାରୀ ମାନଙ୍କୁ ପଢ଼ିବା, ଲେଖିବା ଓ ଜୀବନ କୌଶଳରେ ପାରଦର୍ଶୀ କରି ସ୍ୱୟଂନିର୍ଭର କରିବା ସହ ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପରେ ସକ୍ରିୟ ଭାଗୀଦାର କରିବା ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମର ଶେଷରେ ସମସ୍ତ ହିତଧାରୀଙ୍କ ଦ୍ୱାରା ନିୟମିତ ଉପସ୍ଥିତି ଓ ସଫଳ ସମାପ୍ତି ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମଟି ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ର ର ଅଧିକାରୀ ଶ୍ରୀ ପ୍ରଭାକର ପଣ୍ଡା ଙ୍କ ନେତୃତ୍ୱରେ ବିଆଇପିଏଫ୍ ଟିମ୍‌ଙ୍କ ସହଯୋଗରେ ସୁନ୍ଦର ଭାବେ ଆୟୋଜିତ ହୋଇଥିଲା ଏବଂ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସମନ୍ୱୟ କରାଯାଇଥିଲା। ଶେଷରେ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ର ଓ ଇମ୍ଫା ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା, ଯେଉଁଥିରେ ସେ ସମସ୍ତ ଅତିଥି, ଅଂଶଗ୍ରାହୀ ଓ ସହଯୋଗୀମାନଙ୍କୁ ତାଙ୍କର ସମର୍ଥନ ଓ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇଥିଲେ।

ad-week
Leave A Reply

Your email address will not be published.