
ବ୍ରହ୍ମପୁର : କୃତୀ ଛାତ୍ରୀ ଜାହ୍ନବୀ ରାଣୀ ରଖିଲେ ଟେକ ରାଧାକୃଷ୍ଣ ବିଦ୍ୟା ମନ୍ଦିର ବେଣାପାଟର ବଣ ମଲ୍ଲୀ ବଣରେ ଫୁଟି ବଣ ସାରା ମହକାଇ ଦିଏ। ତାହାର ମହକର ଗନ୍ଧ ଏହି ଚାକଚକ୍ୟ ଦୁନିଆ କାଣିଚାଏ ବି ବାରି ପାରେ ନାହିଁ। ରହିଯାଏ ସେହି ଅନ୍ଧାରି ମୂଲକରେ। କିନ୍ତୁ ଆଜି ପ୍ରତିକୂଳ ତଥା ପ୍ରାକୃତିକ ବନ, ପାହାଡ଼, ନଦୀ ପରିବେଷ୍ଟିତ ପରିବେଶରେ ରହି ଏହି ବଣ ମଲ୍ଲୀ ଜାହ୍ନବୀ ହଜିବା ପାଇଁ ନୁହେଁ ବରଂ ଅନ୍ୟକୁ ପ୍ରେରଣା ଦେବାକୁ, ଉତ୍ସାହିତ କରିବାକୁ, ଅତି ଦୁଃଖ ସମୟରେ ଅଧୈର୍ଯ୍ୟ ନ ହୋଇ, ସମସ୍ତ ପ୍ରକାର ଝଡ ଝଞ୍ଜା, ପାରିବାରିକ ଆର୍ଥିକ ଦୁଃସ୍ଥିତି, ବାର୍ଷିକ ପରୀକ୍ଷାର ସମୟରେ ଅତି ଆପଣାର ଆଦରର ଆଈଙ୍କ ସ୍ଵାସ୍ଥ୍ୟରେ ଅବନତି ହେତୁ ଆଇସିୟୁରେ ଭର୍ତ୍ତି ଅବସ୍ଥାରେ କିଭଳି ଏକାଗ୍ରତା ରଖି ପୁସ୍ତକ କୀଟ ରହି ଚଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷା-୨୦୨୬ରେ ଆସିକା ବ୍ଳକର ଆଠ ଗୋଟି A1 ପରୀକ୍ଷାର୍ଥୀଙ୍କ ମଧ୍ୟରେ ରହି ନିଜକୁ ତଥା ଆସିକା ବ୍ଳକକୁ ଗୌରବାନ୍ୱିତ କରି ପାରିଛି।
ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କୋକଲୁଣ୍ଡା ଗ୍ରାମ ନିବାସୀ ମାତା ସୁବାସିନୀ ନାୟକ, ପିତା ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ଔରସରୁ ଜନ୍ମିତ ଦୁଇ କନ୍ୟାଙ୍କ ମଧ୍ୟରେ ଜ୍ୟେଷ୍ଠା ଜାହ୍ନବୀ ରାଣୀ ନାୟକ ନିଜର ଆର୍ଥିକ ତଥା ପାରିବାରିକ ଦୁଃସ୍ଥିତି ହେତୁ ଆସିକା ବ୍ଳକର ବେଣାପାଟ ଗ୍ରାମ ଅଜା ଶ୍ରୀ ଗୋପୀନାଥ ନାହାକଙ୍କ ଘରେ ରହି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବେଣାପାଟରେ ପ୍ରାଥମିକ ଶିକ୍ଷା ଓ ପରେ ରାଧାକୃଷ୍ଣ ବିଦ୍ୟା ମନ୍ଦିର, ବେଣାପାଟରେ ହାଇସ୍କୁଲ ଶିକ୍ଷା କରି ଆସିଛନ୍ତି । ଚଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷା-୨୦୨୬ରେ ନିଜ ବିଦ୍ୟାଳୟର ସହପାଠୀଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ୫୪୦ (୬୦୦ରୁ) ରଖି ୯୦% ତଥା A1 ଗ୍ରେଡରେ ରହିଛି।
ଜାହ୍ନବୀ ରାଣୀ ପିଲାଟି ଦିନରୁ ଶାନ୍ତ, ସରଳ, ମିଷ୍ଟଭାଷୀ, ମିଶାଣିଆ, ପରୋପକାରୀ, ସହପାଠୀଙ୍କ ମଧ୍ୟରେ ସହଭାଗୀତା, ନିରାମିଷାଶୀ, ଜଗନ୍ନାଥାନୁଗାମୀ, ପୁସ୍ତକ କୀଟ ପରି ବିଶେଷ ଗୁଣର ଅଧିକାରୀ। ବାପା ସୁଦୂର ସୁରତରେ ସପରିବାର ରହି ପ୍ରବାସୀ ଶ୍ରମିକ ଭାବେ ସେଠାକାର ଲୁଗାକଳରେ କାର୍ଯ୍ୟରତ। ମାତା ସୁବାସିନୀ ଗୃହିଣୀ। ଜାହ୍ନବୀ ରାଣୀର ପାଠ ପଢା ପ୍ରତି ଆଗ୍ରହ ଦେଖି ଅଜା ଶ୍ରୀ ଗୋପୀନାଥ ନାହାକ ନିଜ ପାଖରେ ରଖି ନାତୁଣୀର ଯତ୍ନ ନିଅନ୍ତି। ମାମୁଁ ଶିକ୍ଷକ ଶ୍ରୀ ଶିବରାମ ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଟିଉସନ ଶିକ୍ଷକ ଶ୍ରୀ ରାଉତଙ୍କ ସକଳ ଉଦ୍ୟମ, ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅହରହ ପ୍ରୟାସ, ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିବାରର ଅନାବିଳ ସ୍ନେହ ଶ୍ରଦ୍ଧା ଆଜି ଜାହ୍ନବୀ ରାଣୀକୁ ଉଚ୍ଚ ଶିଖରରେ ପହଞ୍ଚାଇ ଦେଇଛି। ସଙ୍ଗୀତ ଗାନ କରିବା, ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା, ଚିତ୍ର କରିବା, ଆଦିରେ ସେ ଅନେକ ସଫଳତା ହାସଲ କରିଛି। ଆଗାମୀ ଦିନରେ ବିଜ୍ଞାନ ପଢି ଡାକ୍ତର ହୋଇ ଅସହାୟଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ଲକ୍ଷ୍ୟରେ ଆଗେଇ ଯିବାକୁ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି।
