
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷ୍ୟତା ରେ ଗୃହ ଗଣନା ଏବଂ ଗୃହ ତାଲିକା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜନଗଣନା ନିର୍ଦ୍ଦେଶାଳୟ ନୟାଗଡ଼ ଜିଲ୍ଲା ଦାୟିତ୍ଵରେ ଥିବା ଅଧିକାରୀ ଅକ୍ଷୟ କୁମାର ନାୟକ ଏବଂ ସହକାରୀ ଜିଲ୍ଲା ଜନଗଣନା ସହାୟକ କୃଷ୍ଣଚନ୍ଦ୍ର ନାୟକ, ଜନଗଣନା ଚାର୍ଜ ଅଫିସର ତଥା ଓଡ଼ଗାଁ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ ଯୋଗଦେଇଥିଲେ।ଓଡ଼ଗାଁ ବ୍ଳକର ୩୫୩ ଗୃହ ତାଲିକା ଖଣ୍ଡରୁ ୨୮୪ ଖଣ୍ଡର କାର୍ଯ୍ୟ ସାରିଥିବା ବେଳେ ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ସରିଯାଇଛି।ଅବଶିଷ୍ଟ କାର୍ଯ୍ୟକୁ ୨ ଦିନ ମଧ୍ୟରେ ସାରିବାକୁ ଉପସ୍ଥିତ ଜନଗଣନା ସୁପରଭାଇଜର ମାନଙ୍କୁ ଦାୟିତ୍ଵ ଦିଆଯାଇଛି।ଓଡ଼ଗାଁ ଏନଏସି ଅନ୍ତର୍ଗତ ୩୩ ରୁ ୩୩ ଖଣ୍ଡର ଗୃହ ତାଲିକା ପ୍ରସ୍ତୁତ ହୋଇଯିବା ଯୋଗୁଁ ଶତପ୍ରତିଶତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିଦେଇ ଥିବାରୁ ଅଧିକାରୀ ମାନେ ଖୁସି ବ୍ୟକ୍ତ କରିଥିଲେ।ସୂଚନା ଅନୁଯାୟୀ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟ ମେ ମାସ ୧୫ ତାରିଖରେ ସାରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାତ୍ର ଓଡ଼ଗାଁ ଏନ୍ଏସି ଏହାର ବହୁ ପୂର୍ବରୁ ଶତପ୍ରତିଶତ କାର୍ଯ୍ୟ ସମାପ୍ତ କରି ପ୍ରଶଂସା ସାଉଁଟିଛି ।
