କାହା ସ୍ୱାର୍ଥରେ ପୋଖରୀ ଖନନ ଓ ପୁନଃଉଦ୍ଧାର ? କୋଷାଗୁମୁଣ୍ଡା ବ୍ଲକରେ ସରକାରୀ ଅର୍ଥର ‘ହରିଲୁଟ୍‌’, ମଧୁଚନ୍ଦ୍ରିକାରେ ମାଲେମାଲ ଠିକାଦାର ଓ କର୍ମଚାରୀ

add-all

ନବରଙ୍ଗପୁର/କୋଷାଗୁମୁଣ୍ଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଣ୍ଡା ବ୍ଲକରେ ଜନକଲ୍ୟାଣ କାର୍ଯ୍ୟ ନାମରେ ସରକାରୀ ଅର୍ଥର ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମନରେଗା ଏବଂ ଅମୃତ ସରୋବର ଭଳି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପୋଖରୀ ଖନନ ଓ ପୁନଃଉଦ୍ଧାର କାର୍ଯ୍ୟ କରାଯାଉଥିବା କୁହାଯାଉଥିଲେ ହେଁ, ବାସ୍ତବରେ ଏହାର ସୁଫଳ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଠିକାଦାର ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଯୋଜନାଗୁଡ଼ିକ କେବଳ କାଗଜପତ୍ର ଓ ଅର୍ଥ ହରିଲୁଟ୍‌ରେ ସୀମିତ ରହିଯାଇଛି। ସୂଚନା ଅନୁଯାୟୀ, ଅମୃତ ସରୋବର ଯୋଜନାରେ ରାଜଡ଼ାଠାରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସାନ ଆମଡ଼ା, ଫାର୍ସାଗୁଡ଼ା ଓ ରାଉଁଲିଗୁଡ଼ା ପୋଖରୀ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯାଇଛି। ସେହିପରି ବାମୁଣୀର ଛାଟ ଲାହାଣ୍ଡି ରାସ୍ତା ପାର୍ଶ୍ୱରେ କୌଣସି ସୂଚନା ଫଳକ ନଥାଇ ମେସିନ ସାହାଯ୍ୟରେ ପୋଖରୀ ଖନନ ସରିଛି। ବାଲେଙ୍ଗାର ଆଦିବାସୀଗୁଡ଼ା, ମାଝୀଗୁଡ଼ା ଏବଂ ବୁଟିମାଝି ସେମଲାରେ ପୋଖରୀ ଖନନ ଓ ବୃକ୍ଷରୋପଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, କିଛି ସ୍ଥାନରେ କଞ୍ଚାମାଲ ବାବଦରେ ୩୫ ହଜାର ଟଙ୍କା ବ୍ୟୟ ଦର୍ଶାଯାଇଥିଲେ ହେଁ ସେଠାରେ ବୋଲ୍ଡର, ସିମେଣ୍ଟ କିମ୍ବା ରଡ୍‌ର ବ୍ୟବହାର ଦେଖିବାକୁ ମିଳିନି। କେଉଁଠି କେବଳ ମୁରୁମ ଖାଲ ଦୃଶ୍ୟମାନ ହେଉଛି ତ ଆଉ କେଉଁଠି କେବଳ ହୁଡ଼ା ତିଆରି କରି ପୋଖରୀର ରୂପ ଦିଆଯାଇଛି, ଯାହା ସାଧାରଣ ଲୋକଙ୍କ କୌଣସି କାମରେ ଆସୁନାହିଁ।

ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗରିବ ଓ ଭୂମିହୀନ ଶ୍ରେଣୀର ଲୋକଙ୍କୁ ବାର୍ଷିକ ୧୦୦ ଦିନର ନିଶ୍ଚିତ ରୋଜଗାର ପ୍ରଦାନ କରିବା। କିନ୍ତୁ କୋଷାଗୁମୁଣ୍ଡା ବ୍ଲକରେ ଶ୍ରମିକଙ୍କ ବଦଳରେ ମେସିନ ସାହାଯ୍ୟରେ ପୋଖରୀ ଖୋଳାଯାଉଥିବାରୁ ସ୍ଥାନୀୟ ଲୋକେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଯଦି ସରକାରୀ ଅର୍ଥ ଏଭଳି ଭାବେ ଅଯଥାରେ ଖର୍ଚ୍ଚ ହେଉଛି, ତେବେ ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମସ୍ତ କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା ଏବଂ ସରକାରୀ ଅର୍ଥର ଅପବ୍ୟବହାର ରୋକାଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.