ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ କୋରାପୁଟରେ ପରାମର୍ଶ ବୈଠକ: ମହିଳାଙ୍କ ସ୍ୱାବଲମ୍ବନ ଓ ସଚେତନତା ଉପରେ ଗୁରୁତ୍ୱ

add-all

କୋରାପୁଟ: ୧୧/୦୫/୨୦୨୬ (ବସନ୍ତ ପେଗଡ଼) : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU), ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ତାଲିମ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ଅଂଶୀଦାରମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ପରିଚାଳକ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଏହି ପରାମର୍ଶ ବୈଠକର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ କୋରାପୁଟ ଜିଲ୍ଲା ପୋଲିସ ଡିଏସପି ବିରଞ୍ଚି ଜଗତ, ମାଲକାନଗିରି ଆଇଆଇସି ସୁନୀଲ କୁମାର ସ୍ୱାଇଁ, ରାୟଗଡ଼ାର ସରକାରୀ ମେଡିକାଲ ଅଫିସର ଡାକ୍ତର ରଶ୍ମିପ୍ରଭା ଦାସ, ବରିଷ୍ଠ ସମାଜସେବୀ ସ୍ୱର୍ଣ୍ଣଲତା ମହାନ୍ତି ଏବଂ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର କୃଷ୍ଣ ସେଠୀ ଅତିଥି ଭାବେ ଯୋଗଦେଇ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ଏହି ଆଲୋଚନା ଚକ୍ରରେ ଚାରି ଜିଲ୍ଲାର ଆଶା ଓ ଅଙ୍ଗନବାଡ଼ି କର୍ମୀ, ସଖୀ କେନ୍ଦ୍ରର ସଂଯୋଜିକା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଏବଂ ସମାଜସେବୀମାନେ ଅଂଶଗ୍ରହଣ କରିଥିଲେ। ସମୁଦାୟ ସ୍ତରରେ ଘରୋଇ ହିଂସାର ସମାଧାନ ପାଇଁ ସ୍ଥାନୀୟ ପ୍ରତିନିଧିମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ରୋକିବା ପାଇଁ ଅଧିକ ଗବେଷଣା ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟର ଆବଶ୍ୟକତା ରହିଛି ବୋଲି ପ୍ରତିନିଧିମାନେ କହିଥିଲେ।

ପ୍ରଶ୍ନୋତ୍ତର ଅଧିବେଶନ ମାଧ୍ୟମରେ ଘରୋଇ ହିଂସା ଏବଂ ଯୌତୁକ ନିଷେଧ ଆଇନ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟମାନ ଆଇନଗତ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ କିପରି ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବକ୍ତାମାନେ ମତ ଦେଇଥିଲେ ଯେ, ନାରୀମାନେ ଯଦି ଶିକ୍ଷିତ ଓ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୁଅନ୍ତି, ତେବେ ହିଂସାର ମାତ୍ରା ଯଥେଷ୍ଟ ହ୍ରାସ ପାଇବ। ମହିଳାମାନେ ନିଜର ଅଧିକାର ଓ ସରକାରୀ ସୁରକ୍ଷା ବ୍ୟବସ୍ଥା ବିଷୟରେ ଜାଣିଲେ ଏକ ସମ୍ମାନଜନକ ଜୀବନ ବଞ୍ଚିପାରିବେ।

କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶୀଦାରମାନଙ୍କୁ ସମ୍ମାନଜନକ ମାନପତ୍ର ପ୍ରଦାନ କରାଯାଇଥିଲା। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପରିଚାଳକ ସୁଧାଂଶୁ ଭୂଷଣ ମହାରଣା ଓ ରାଜ କିଶୋର ପଣ୍ଡା ଏବଂ ଗବେଷକ ଡକ୍ଟର ଆଭାସ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା। ପରିଶେଷରେ ଶ୍ରୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.