
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ପଥର ଖଣିରୁ ନିୟମିତ ହେଉଥିବା ଚୋରା ଚାଲାଣ ଖବର ନିୟମିତ ବ୍ୟବଧାନରେ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ରକ୍ତମୁଖା ହୋଇଉଠିଛନ୍ତି ଖଣି ମାଫିଆ ।ବିଭିନ୍ନ ସ୍ଥାନରେ ଜଗୁଆଳି ରଖି ରାତିରେ ବିଭିନ୍ନ ସ୍ଥାନକୁ ମାଙ୍କଡ଼ା ପଥର ଚୋରା ଚାଲାଣ କରିଛନ୍ତି ଏହି ଖଣି ମାଫିଆ ମାନେ ।ରବିବାର ବିଳମ୍ବିତ ରାତିରେ ପଥର ଗାଡ଼ି ଆସୁଥିବାର ଖବର ଓଡ଼ଗାଁ ଥାନା ପୋଲିସକୁ ଜଣାଇ ଦେବାରୁ ଓଡ଼ଗାଁ କଦଳିବନ୍ଧ ଠାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ ହତ୍ୟା କରାଯାଇଛି ।ଯୁବକ ଜଣକ ଓଡ଼ଗାଁ ଏନଏସି ଅନ୍ତର୍ଗତ ଶିଳ୍ପୀ ନଗର ସାହିର ସୁଜିତ ସାହୁ ବୋଲି ଜଣା ପଡିଛି। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ବାମ ହାତକୁ ସମ୍ପୂର୍ଣ୍ଣ ଅଲଗା କରିଦେଇଛନ୍ତି ଦୁର୍ବୃତ୍ତ ମାନେ ।
ସ୍ଥାନୀୟ ଲୋକମାନେ ରାସ୍ତାରେ ଶବ ରଖି ନୟାଗଡ଼ – ଭଞ୍ଜନଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଅଭିଯୁକ୍ତଙ୍କ ଗିରଫ ଦାବି ସହିତ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।ଆଇଜିପି ସେଣ୍ଟ୍ରାଲ ରେଞ୍ଜ ଡକ୍ଟର ସତ୍ୟଜିତ ନାୟକ, ନୟାଗଡ଼ ଏସପି ଏସ ସୁଶ୍ରୀଙ୍କ ସହିତ ହତ୍ୟା କାଣ୍ଡ ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ସମୀକ୍ଷା କରିବା ସହିତ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଏବଂ ବେଆଇନ ପଥର ଖଣି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।
