
ଉମରକୋଟ/ଚନ୍ଦାହାଣ୍ଡି:- ( ୧୬/୦୬/୨୦୨୬) ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ଶବର ଯୁଗ୍ମ ଭାବେ ଅଧ୍ୟକ୍ଷତା କରିଥିଲେ। ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଉପଜିଲ୍ଲାପାଳ ଶରତ କୁମାର ମାଝୀ, ଚନ୍ଦାହାଣ୍ଡି ବିଡିଓ ଚୈନୁ ଗଣ୍ଡ, ତହସିଲଦାର ସହଦେବ କୁଟ୍ରୁକାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଶିବିରରେ ମୋଟ ୬୨ଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୪୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଏବଂ ୧୪ଟି ଗ୍ରାମ୍ୟ ଓ ସାମୁହିକ ସମସ୍ୟା ସମ୍ବନ୍ଧୀୟ ଆବେଦନ ଥିଲା। ପ୍ରାପ୍ତ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ଜଣେ ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ବାବଦରେ ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା।
