

ଉମରକୋଟ/ରାଇଘର, (୧୭/୦୬/୨୦୨୬):- ନବରଙ୍ଗପୁର ଜିଲ୍ଲାର ରାଇଘର ସଦର ଅଞ୍ଚଳରେ ଥିବା ମାଉଲି ମା ମନ୍ଦିର ନିକଟସ୍ଥ ଏକ ଢାବାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକେଜ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ଢାବାରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ ସୁବାସ ହରିଜନ, ଯୋଗେଶ ହରିଜନ ସହ ଢ଼ାବା ମାଲିକ ପରିମୋଲ ସିଲ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଢାବାର ରୋଷେଇ ଘରେ ଥିବା ଏକ ଗ୍ୟାସ ଟାଙ୍କିରୁ ହଠାତ୍ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ସେଠାରେ ନିଆଁ ଲାଗି ଯାଇଥିଲା ଏବଂ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀମାନେ ଓ ଢ଼ାବା ମାଲିକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଏହି ସମୟରେ ଦୁଇ ଜଣ କର୍ମଚାରୀ ଓ ଢ଼ାବା ମାଲିକ ଗୁରୁତର ଭାବେ ପୋଡ଼ିଯାଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକମାନେ ଓ ପୁଲିସଙ୍କ ସହଯୋଗରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଇଘର ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କର ଶରୀରର ବହୁ ଅଂଶ ପୋଡ଼ି ଯାଇଥିବାରୁ ଓ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଇପୁର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ସମଗ୍ର ରାଇଘର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ୟାସ ସିଲିଣ୍ଡର ଓ ରୋଷେଇ ଉପକରଣ ବ୍ୟବହାରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
( ଉମରକୋଟ ରୁ, ରସିକ ସରକାର )
